ଦୀପାଞ୍ଜଳୀ ଓ ସତ୍ୟରଞ୍ଜନଙ୍କ ବାହାଘରକୁ ହେଇଥିଲା ମାତ୍ର ତିନି ବର୍ଷ ହେଲେ ଭଡା ଘରୁ ମିଳିଲା ସ୍ତ୍ରୀର ମୃତଦେହ, ସ୍ୱାମୀ ଥାନାରେ ଅଟକ
ଯାଜପୁର : ତିନି ବର୍ଷ ତଳେ ସତ୍ୟରଞ୍ଜନଙ୍କ ହାତ ଧରିଥିଲେ ଦୀପାଞ୍ଜଳୀ । ହେଲେ ଦୀପାଞ୍ଜଳୀ ଆଦୌ ବି ଜାଣିନଥିଲେ ଯେ ତାଙ୍କର ଏହି ନୂଆ ଜୀବନ ବେଶି ଦିନ ଯିବନି ବୋଲି । ଯେଉଁ ସତ୍ୟ ରଞ୍ଜନଙ୍କ ନାଁରେ ସିନ୍ଦୁର ପିନ୍ଧି ସବୁଦିନ ପାଇଁ ବାପ ଘରୁ ଆସିଥିଲେ ଶାଶୁ ଘର । ସେହି ଶାଶୁ ଘରକୁ ଆସିବା ପରେ ଏତେ କିଛି ଘଟିଯିବ ବୋଲି କଳ୍ପନା ବି ସେ କରିନଥିଲେ ।
ଦେଖନ୍ତୁ ଶଙ୍ଖା ସିନ୍ଦୁର ପିନ୍ଧି କେତେ ସୁନ୍ଦର ଦେଖାଯାଉଛନ୍ତି ଦୀପାଞ୍ଜଳୀ । ଏ ସୁନ୍ଦରତା ତାଙ୍କ ମନରେ ଥିବା ଖୁସି ପାଇଁ । କାହିଁକିନା ସେ ପାଇଥିଲେ ତାଙ୍କର ମନର ମଣିଷକୁ, ମନଲାଖି ବରକୁ । ଦୀପାଞ୍ଜଳୀ ସତ୍ୟରଞ୍ଜନଙ୍କୁ ଭଲ ପାଇ ବାହା ହେଇଥିଲେ । ଆଉ ଭାରି ଖୁସି ଥିଲେ ତାଙ୍କୁ ପାଇ । ହେଲେ ଏଇ ଖୁସି ଯେ ତାଙ୍କ ସହ ବେଶି ଦିନ ରହିବନି ତାହା ସେ ଜାଣିନଥିଲେ ।
ହଁ ଆଜ୍ଞା ଆଜି ମିଳିଛି ଦୀପାଞ୍ଜଳୀଙ୍କ ମୃତଦେହ । ସ୍ବାମୀଙ୍କ ସହ ଏକାକୀ ରହୁଥିବା ଭଡା ଘରୁ ମିଳିଛି ତାଙ୍କର ମୃତ ଶରୀର । ଯୋଉ ଘରେ ସେ ସ୍ବାମୀଙ୍କ ସହିତ କେତେ କଣ ସ୍ବପ୍ନ ଦେଖୁଥିଲେ ସେହି ଘରୁ ଆଜି ପୋଲିସ ଠାବ କରିଛି ତାଙ୍କର ମୃତଦେହ । ଆହୁରି ବେଶି ଆଶ୍ଚର୍ଯ୍ୟକର କଥା କଣ ଜାଣିଛନ୍ତି ସେହି ଘରେ ତାଙ୍କ ସ୍ବାମୀ ବି ଉପସ୍ଥିତ ଥିଲେ । ସେଥିପାଇଁ ତ ବେଶି ସନ୍ଦେହ ଉଙ୍କି ମାରୁଛି ସମସ୍ତଙ୍କ ମନରେ ।
ଯାଜପୁର ଜିଲ୍ଲା କୁଆଖିଆ ବଜାର ଅଞ୍ଚଳରେ ଏକ ଭଡା ଘରୁ ଦୀପାଞ୍ଜଳୀ ମୃତ ଅବସ୍ଥାରେ ପଡିଥିଲେ । ଖବର ପାଇ କୁଆଖିଆ ପୋଲିସ ଗତକାଲି ବିଳମ୍ବିତ ରାତିରେ ମୃତଦେହକୁ ଜବତ କରିଛି। କହିବାକୁ ଚାହିଁବୁ ଯେ କୁଆଖିଆ ଥାନା ଭୋଟକା ଗାଁର କୈଳାସ ରାଉତଙ୍କ ଝିଅ ଦୀପାଞ୍ଜଳି । ସେ ଗତ ତିନି ବର୍ଷ ହେବ ଭୋଟକା ଗାଁର ବିଷ୍ଣୁ ଚରଣ ବେହେରାଙ୍କ ପୁଅ ସତ୍ୟ ରଞ୍ଜନ ବେହେରାଙ୍କୁ ପ୍ରେମ କରି ବାହା ହେଇଥିଲେ।
ବାହାଘର କିଛି ଦିନ ଠିକ ଠାକ୍ ତ ଚାଲିଲା ହେଲେ ପରେ ପାରିବାରିକ ବିବାଦ ଯୋଗୁଁ ଉଭୟ ପତି ଓ ପତ୍ନୀ କୁଆଖିଆ ମଧୁବନ ରୋଡ଼ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଭଡାଘରେ ରହୁଥିଲେ। ତେବେ ମଙ୍ଗଳବାର ମଧ୍ୟାହ୍ନ ସମୟରୁ ଘର ଭିତର ପଟୁ ବନ୍ଦ ରହିଥିଲା। ଘର ଭିତରେ ସ୍ବାମୀ ସତ୍ୟରଞ୍ଜନ ଥିଲା । ଦୀପାଞ୍ଜଳିଙ୍କ ପରିବାର ଲୋକେ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ସ୍ୱାମୀ ସତ୍ୟରଞ୍ଜଙ୍କୁ ଫୋନ କରିଥିଲେ। ହେଲେ ସେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ନଦେବାରୁ ପରିବାର ଲୋକେ ଆସି ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଦେଖିବାକୁ ପାଇଥିଲେ। ଆଉ ଘରୁ ସ୍ୱାମୀ ସତ୍ୟରଞ୍ଜନ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ।
ପୋଲିସ ଘରର କବାଟ ଭାଙ୍ଗି ଦୀପାଞ୍ଜଳିଙ୍କ ମୃତଦେହ ଜବତ କରିବା ସହ ସତ୍ୟ ରଞ୍ଜନକୁ ନିଜ ହେପାଜତକୁ ନେଇଥିଲା।
ଦୀପାଞ୍ଜଳିଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ପରିବାର ପକ୍ଷରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସ୍ୱାମୀକୁ ଥାନାରେ ଅଟକ ରଖି ତଦନ୍ତ କରିଛି । କାହିଁକିନା ଘର ଭିତର ପଟୁ ବନ୍ଦ ରହିଛି, ଦୀପାଞ୍ଜଳୀ ମରି ପଡିଛନ୍ତି ସ୍ବାମୀ କିନ୍ତୁ ଘର ଭିତରେ ଅଛନ୍ତି । ନିହାତି ଭାବେ ସ୍ବାମୀ ହିଁ ଖୋଲିପାରିବ ସ୍ତ୍ରୀ ଦୀପାଞ୍ଜଳୀଙ୍କ ମୃତ୍ୟୁ ରହସ୍ୟ । ଏପଟେ ଆଜି ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ କରିଛି । ମୃତଦେହକୁ ବ୍ୟବଛେଦ ପାଇ ପଠାଇ ଏକ ମାମଲା ରୁଜ୍ଜୁ କରି ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ । ଶଵ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି କୁଆଖିଆ ଥାନା ଅଧିକାରୀ ଅନିରୁଦ୍ଧ ନାୟକ ସୂଚନା ଦେଇଛନ୍ତି ।
ସତରେ ଭାରି ଦୁଃଖଦାୟକ ଏ ଖବର । ମାତ୍ର ୩ ବର୍ଷ ତ ହେଇଥିଲା ବାହାଘରକୁ । କୋଳକୁ ଛୁଆଟିଏ ବି ଆସିନଥିଲା ହେଲେ ଜୀବନକୁ ଭଲଭାବେ ଉପଭୋଗ କରିବା ପୂର୍ବରୁ ଅବେଳରେ ଲିଭିଗଲା ଦୀପାଞ୍ଜଳୀଙ୍କ ଜୀବନ ଦୀପ ।