ଭଦ୍ରକ : ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ, ପୋଲିସ ଜାଣିଶୁଣି ଫେରାର କରିଥିବା ଅଭିଯୋଗ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ । ଏକ ନାବାଳିକା ଅପହରଣ ମାମଲାରେ ଚାନ୍ଦବାଲି ପୋଲିସ ଗିରଫ କରିଥିବା ଜଣେ ଅଭିଯୁକ୍ତ ଗତକାଲି ବିଳମ୍ବିତ ରାତିରେ ଥାନାର ପଛପଟ ଝରକା ତାଡି ଚମ୍ପଟ ମାରିଛି । ତେବେ ଦାୟିତ୍ୱରେ ଥିବା ପୋଲିସର ଅବହେଳା ଯୋଗୁ ଏପରି ଘଟିବା ସହ ପୋଲିସ ଜାଣିଶୁଣି ଅଭିଯୁକ୍ତକୁ ଫେରାର କରିଥିବା ଅଭିଯୋଗ କରିଛନ୍ତି ନାବାଳିକାର ବାପା । ସୂଚନା ମୁତାବକ ଚାନ୍ଦବାଲି ଥାନା ପଳାସପୁର ଗାଁର ଏକ ନାବାଳିକାକୁ ବିଜୟନଗର ପଞ୍ଚାୟତ ଗୋବିନ୍ଦପୁର ଗାଁର ଅଜୟ ନାୟକ ଓ ତାର ୨ଜଣ ସହଯୋଗୀକୁ ଅପହରଣ କରିଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ ନାବାଳିକାର ବାପା ।
ତେବେ ପୋଲିସର ବହୁ ଖୋଜାଖୋଜି ପରେ ନିମାପଡାରୁ ଗିରଫ କରିଥିଲା । ହେଲେ ଗତକାଲି ବିଳମ୍ବିତ ରାତିରେ ଗିରଫ ଅଭିଯୁକ୍ତ ଥାନାରୁ ଫେରାର ହୋଇଯାଇଛି । ତେବେ ଏହି ଘଟଣା ଏବେ ସାରା ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ନାବାଳିକାର ବାପା ସମେତ ଗାଁର କିଛି ଲୋକ କିପରି ଗିରଫ ଆସାମୀ ଫେରାର ହେଲା ସେ ନେଇ ଚାନ୍ଦବାଲି ଏସଡିପିଓଙ୍କ ପାଖରେ ଫେରାଦ ହେବା ସହ ଥାନା ଆଗରେ ବସିରହିଛନ୍ତି । ତେବେ ଏ ବାବଦରେ ତଦନ୍ତ ଚାଲିଛି ବୋଲି କହିଛନ୍ତି ଚାନ୍ଦବାଲି ଏସଡିପିଓ ।