ଅଗ୍ରୀମ ନେଇ ସିଂହବାହିନୀ ପାର୍ଟିକୁ ପୀୟୂଷ ଯାଉ ନଥିବା ଅଭିଯୋଗ, ମାଲିକଙ୍କ ସହ ବୁଝାମଣାର ଅଭାବ କହିଲେ ପୀୟୂଷ

ଭୁବନେଶ୍ୱର : ଯାତ୍ରା ଷ୍ଟାରଙ୍କ ସସପେନ୍ସ ଡ୍ରାମା । ୫୫ ଲକ୍ଷ ଟଙ୍କା ଅଗ୍ରୀମ ନେଇ ଯାତ୍ରାପାର୍ଟିକୁ ଆସୁ ନାହାନ୍ତି ହିରୋ ପୀୟୂଷ ତ୍ରିପାଠୀ । ଅଭିଯୋଗ କରିଛନ୍ତି ସିଂହବାହିନୀ ଯାତ୍ରା ପାର୍ଟିର ମାଲିକ ସଂଜୀବ ପାଢ଼ୀ । ସୋସିଆଲ ମିଡିଆରେ ଏହାର ଜବାବ ରଖିଛନ୍ତି ପୀୟୂଷ । ମାଲିକଙ୍କ ସହ ଯେଉଁ ବୁଝାମଣା ରହିବା କଥା ତାର ଅଭାବ ରହିଲା  । ଯେତେ ଦିନ ପର୍ଯ୍ୟନ୍ତ ଯାତ୍ରାରେ ଥିବେ ସିଂହବାହିନୀ ଯିବେ ନାହିଁ ବୋଲି ସେ କହିଛନ୍ତି ।

ଯାତ୍ରା କଳାକାରଙ୍କ ସସପେନ୍ ସ ଡ୍ରାମା ।  ଏଥର କିନ୍ତୁ ଯାତ୍ରା ପେଣ୍ଡାଲରେ ନୁହେଁ, ଯାତ୍ରା ପାର୍ଟି ମାଲକଙ୍କ ସହ ।  ଅଗ୍ରୀମ ଟଙ୍କା ନେଇ ଯାତ୍ରାରେ ଅଭିନୟ କରିବାକୁ ଚୁକ୍ତି କଲେ ।  ଏବେ ଧରାଛୁଆଁ ଦେଉନାହାନ୍ତି । କଥା ଦେଇ କଥା ରଖିନାହାନ୍ତି ଯାତ୍ରା ହିରୋ ପୀୟୂଷ ତ୍ରିପାଠୀ । ଯାତ୍ରା ପାର୍ଟିଂ ସିଂହବାହିନୀର ମାଲିକ ସଞ୍ଜୀବ ପାଢୀ ପିୟୂଷଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଗତ ନଭେମ୍ବର ମାସରେ  ସିଂହବାହିନୀରେ କାମ କରିବାକୁ ଇଚ୍ଛା ପ୍ରକାଶ କରି ସଞ୍ଜୀବଙ୍କୁ ଫୋନ କରିଥିଲେ ପୀୟୂଷ । ପରେ ଏକ ହୋଟେଲରେ ଉଭୟଙ୍କ ମଧ୍ୟରେ ଡିଲ ଫାଇନାଲ ହୋଇଥିଲା ।

ସିଂହବାହିନୀରେ ସଞ୍ଜୀବ ୫ବର୍ଷ କାମ କରିବେ ଓ ବାର୍ଷିକ ଏକ କୋଟି ଟଙ୍କା ନେବେ ବୋଲି ଚୁକ୍ତି ହୋଇଥିଲା ବୋଲି କହିଛନ୍ତି ସଞ୍ଜୀବ ପାଢୀ । ଅଗ୍ରୀମ ଭାବେ ଏକ ଫର୍ଚୁନର ଗାଡ଼ି ନେବାକୁ କହିଥିଲେ ପୀୟୂଷ । ଏହା ପରେ ଡିସେମ୍ବର ୧୧ତାରିଖରେ ପୀୟୂଷଙ୍କୁ ଏକ ଗାଡ଼ି ଦେଇଥିଲେ ସଞ୍ଜୀବ ।  ଏହି ଗାଡ଼ି ସିଂହବାହିନୀ ଯାତ୍ରୀ ପାର୍ଟି ନାଁରେ ରହିଛି ।  ଏହା ସହ ପୀୟୂଷଙ୍କ ଆକାଉଣ୍ଟରେ ୩୦ ଲକ୍ଷ ଓ ନଗଦ ୨୫ ଲକ୍ଷ ଭାବେ ମୋଟ ୫୫ଲକ୍ଷ ଟଙ୍କା ବି ଦେଇଥିଲେ ସଞ୍ଜୀବ । ପରେ ଖଣ୍ଡଗିରି ମେଳା ସମୟରେ ତାଙ୍କ ସହ ପୁରୀ ଯାଇ ଶ୍ରୀମନ୍ଦିରରେ ପ୍ରତିଜ୍ଞା ମଧ୍ୟ କରିଥିଲେ। ଏବେ ସିଂହବାହିନୀରେ କାମ କରିବେନାହିଁ ବୋଲି ସୋସିଆଲ ମିଡିଆରେ କହିବା ସହ ତାଙ୍କ ଫୋନ ଉଠାଉନାହାନ୍ତି କିମ୍ବା ମେସେଜର ଉତ୍ତର ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସଞ୍ଜୀବ ପାଢୀ ।

ପୀୟୂଷଙ୍କ ସହ ଚୁକ୍ତି ପରେ ସିଂହବାହିନୀ ଯାତ୍ରା ପାର୍ଟି ପକ୍ଷରୁ ସୋସିଆଲ ମିଡିଆରେ ଯାତ୍ରାର ଷ୍ଟାରକାଷ୍ଟରେ ପୀୟୂଷଙ୍କ ନାମ ପ୍ରକାଶ କରିଥିଲା । ଏହି ପରେ ସୋସିଆଲ ମିଡିଆରେ ନିଜ ପକ୍ଷ ରଖିଛନ୍ତି ପୀୟୂଷ ।  ସିଂହବାହିନୀ ମାଲିକଙ୍କ ସହ କଥାବାର୍ତ୍ତ ହୋଇଥିବା ସ୍ବୀକାର କରିଛନ୍ତି । ତେବେ ମାଲିକ ଓ କଳାକାରଙ୍କ ମଧ୍ୟରେ ଯେଉଁ ବୁଝାମଣା ରହିବା କଥା ତାର ଅଭାବ ରହିଲା । ଯେତେ ଦିନ ପର୍ଯ୍ୟନ୍ତ ଯାତ୍ରାରେ ଥିବେ ସିଂହବାହିନୀ ଯିବେ ନାହିଁ । ଆସନ୍ତାବର୍ଷ ନୁହେଁ କି ଭବିଷ୍ୟତରେ ମଧ୍ୟ ସିଂହବାହିନୀ ଯିବେ ନାହିଁ । ଏବେ ଅପେରା ସୂର୍ଯ୍ୟମନ୍ଦିରରେ ରହିଛି । ଆସନ୍ତାବର୍ଷ ମଧ୍ୟ ସେଠାରେ କାର୍ଯ୍ୟ କରିବି ବୋଲି କହିଛନ୍ତି ପୀୟୂଷ । ତେବେ ଟଙ୍କା ଓ ଗାଡ଼ି ନେବା ସଂପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ପୀୟୂଷ ।

ଏବେ ପୀୟୂଷଙ୍କ ସହ ବିବାଦ ପ୍ରସଙ୍ଗ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ।  ଏବେ ସଞ୍ଜୀବ ନ୍ଯାୟ ପାଇଁ ଆଇନ ର ଆଶ୍ରୟ ନେବେ ବୋଲି କହିଛନ୍ତି ।  ଏବେ ପ୍ରଶ୍ନ ଉଠିଛି ସଞ୍ଜୀବ ଓ ପୀୟୂଷଙ୍କ ମଧ୍ୟରେ ଚୁକ୍ତିରେ କଣ ଥିଲା ? କାହିଁକି ଚୁକ୍ତିରୁ ଓହରିଗଲେ ପୀୟୂଷ? କେଉଁ ପ୍ରସଙ୍ଗରେ ରହିଲା ବୁଝାମଣାର ଅଭାବ? ଏହାକୁ ନେଇ ଚର୍ଚ୍ଚା ଚାଲିଛି ।