ଭିସୁଟ ଛାତ୍ରୀ ମୃତ୍ୟୁକୁ ନେଇ ବଢ଼ିଲା ସସପେନ୍ସ: ଝିଅକୁ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ
ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ଵିଷ୍ଟ । ପୋଲିସ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କର ୨ ଜଣ ସାଙ୍ଗକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବଲପୁର (କେନ୍ୟୁଜ): ଭିସୁଟ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ଚିନ୍ମୟୀଙ୍କ ପରିବାର ଲୋକ । ଏହି ଘଟଣାରେ ପୋଲିସ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କର ୨ ଜଣ ସାଙ୍ଗକୁ ଅଟକ ରଖି ପଚରାଉଚରା କରୁଛି। ଏମାନଙ୍କ ନାମରେ ୩୦୨, ୨୦୧ ଓ ୩୪ ଧାରାରେ ମାମଲା ରୁଜୁ ହୋଇଛି । ବୟଫ୍ରେଣ୍ଡ ପ୍ରୀତିମାନ ଦେ ସହପାଠୀଙ୍କ ସହଯୋଗରେ ଝିଅକୁ ହତ୍ୟା କରି ଫିଙ୍ଗି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତ ଚିନ୍ମୟୀଙ୍କ ପରିବାର ।
ଆଜି ବୁର୍ଲା ପୋଲିସ ଚିନ୍ମୟୀଙ୍କ ଡାଏଟମ ଓ ଭିସେରା ଟେଷ୍ଟ କରିବ ବୋଲି ଜଣାପଡିଛି । ବୁର୍ଲା ପାୱାର ଚାନେଲ ବ୍ରିଜରୁ ଏକ ବାଇକ ଓ ମୃତ ଚିନ୍ମୟୀଙ୍କ ମୋବାଇଲ ଫୋନ ଜବତ କରିଛି ପୋଲିସ । ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ଭିସୁଟର ଆଇଟି ବିଭାଗର ପାସ୍ ଆଉଟ୍ ଛାତ୍ରୀ । ଗତ ମଙ୍ଗଳବାର ସମାବର୍ତ୍ତନ ଉତ୍ସବରେ ଡିଗ୍ରୀ ସାର୍ଟିଫିକେଟ୍ ନେବାକୁ ସେ ବୁର୍ଲା ଆସିଥିଲେ । ଏହାପରେ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ବୁର୍ଲା ପାୱାର ଚାନେଲ ବ୍ରିଜରୁ ଚିନ୍ମୟୀ ଡେଇଁ ପଡ଼ିଥିବା କୁହାଯାଉଥିଲା । ଗତକାଲି ଅଗ୍ନିଶମବାହିନୀ ତାଙ୍କର ମୃତଦେହ ଉଦ୍ଧାର କରିଛି । ଚିନ୍ମୟୀଙ୍କ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି, ସେନେଇ କାରଣ ସ୍ପଷ୍ଟ ଜଣାପଡିନଥିବାବେଳେ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ହେବ ବୋଲି ବୁର୍ଲା ଏସଡିପିଓ କହିଛନ୍ତି ।