ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ନେଇ ବଢୁଛି ସସପେନ୍ସ, ଆଜି ସିବିଆଇରେ ହାଜର ହୋଇପାରନ୍ତି
ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ନେଇ ବଢୁଛି ସସପେନ୍ସ । ଆଜି ସିବିଆଇରେ ହାଜର ହୋଇପାରନ୍ତି ବିଷ୍ଣୁପଦ ସେଠୀ । ଆଜି ହାଜର ହେବାକୁ ନୋଟିସ୍ ଦିଆଯାଇଥିିବା ସୂଚନା ମିଳିଛି । ଏଗାର ତାରିଖରେ ହାଜର ହେବାକୁ ୧୦ ତାରିଖରେ ତାଙ୍କୁ ସମନ କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ସେହିପରି ଭୁବନେଶ୍ବର ନୁହେଁ କୋଲକାତା କିମ୍ବା ଦିଲ୍ଲୀ ଅଫିସରେ ହାଜର ହେବାକୁ ସେ ଅନୁରୋଧ କରିଥିବା କୁହାଯାଉଛି । ତେବେ ଏ ସଂପର୍କରେ ସଠିକ କିଛି ଜଣାପଡ଼ିନାହିଁ ।
ସେପଟେ ସିବିଆଇ ତଦନ୍ତରୁ ଜଣାପଡ଼ିଛି, ଡିସେମ୍ବର ୫ତାରିଖରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଭେଟିଥିଲେ ବ୍ରିଜ ଆଣ୍ଡ ରୁଫ କଂପାନୀ ଜିଜିଏମ ଚଞ୍ଚଲ ମୁଖାର୍ଜୀ । ୬ତାରିଖରେ ପେଣ୍ଟା ଏ ଷ୍ଟୁଡିଓ ନିର୍ଦ୍ଦେଶକ ସନ୍ତୋଷ ମହାରଣା ଓ ତାଙ୍କ ବାପା ମନମୋହନ ମହାରଣାଙ୍କୁ ଜରୁରି ଭେଟିବାକୁ କହିଥିଲେ ଚଞ୍ଚଲ । ସାକ୍ଷାତ ବେଳେ ୭ ତାରିଖ ସଂଧ୍ୟା ସୁଦ୍ଧା ୧୦ଲକ୍ଷ ଟଙ୍କା ତାଙ୍କୁ ଦେବାକୁ କହିଥିଲେ । ଏହି ଟଙ୍କାକୁ ଫ୍ୟୁଚର ବିଲରେ ଆଡଜଷ୍ଟ କରାଯିବ ବୋଲି କହିଥିଲେ ଚଞ୍ଚଲ । ବ୍ରିଜ ଆଣ୍ଡ ରୁଫ କଂପାନୀ ନାଲକୋର ସିଭିଲ କନଷ୍ଟ୍ରକ୍ ସନର କାମ ଦାମନଯୋଡ଼ି ଓ ବିଶାଖାପାଟଣାରେ କରିବାକୁ ଟେଣ୍ଡର ନେଇଛି । ତେବେ ଏହି କାମକୁ ସେ ପେଣ୍ଟା ଷ୍ଟୁଡିଓକୁ ଦାୟିତ୍ବ ଦେଇଛି । ଏସଂପର୍କରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ପାଖରେ ଗୁରୁତ୍ବପୂର୍ଣ୍ଣ ସୂଚନା ଥିବା କହିଛି ସିବିଆଇ । ଏବେ ସ୍କୁଲ ଅପଗ୍ରେଡ କାମ ପାଇଁ ବ୍ରିଜ ଆଣ୍ଡ ରୁଫକୁ ଟେଣ୍ଡର ମିଳିଥିବା ବେଳେ ପ୍ରକୃତରେ ଏହାର ନିର୍ମାଣ ଦାୟିତ୍ବ କାହା ପାଖରେ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଡିସେମ୍ବର ୫ରେ IAS ବିଷ୍ଣୁପଦ ସେଠୀଙ୍କୁ କାହିଁକି ଭେଟିଥିଲେ ଚଞ୍ଚଲ ମୁଖାର୍ଜୀ ? ଏହାର କାରଣ ଜାଣିବାକୁ ଇଷ୍ଟକୋଷ୍ଟ ଜିଏମ ବିକେ ସିଂଙ୍କୁ ମାରାଥନ ଜେରା କରିଛି ସିବିଆଇ ।