ଗୁଣିଗାରେଡି ସନ୍ଦେହ, ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଓର୍କେଲ ଥାନା ପୋଲିସ

ମାଲକାନଗିରି : ଡାହାଣୀ ଧରିବାକୁ ଗାଁରେ ଖଟବିଦ୍ୟା ।  ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଗାଁରୁ ବିତାଡ଼ିତ କରୁଥିବା ବେଳେ ୬ ପୂଜାରୀ ଗିରଫ କୋର୍ଟ ଚାଲାଣ ।  ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଚିତାପାରୀ-୪ ଗାଁରେ ।  ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଅନୁମତି ମିଳିଥିଲା।

୨ୟ ଦିନରେ ପୂଜା ନାଁରେ ଗୁଣିଗାରେଡି ଚାଲିଥିବା ପୋଲିସ ପାଖରେ ଅଭିଯୋଗ ହୋଇଥିଲା । ଖବର ପାଇ ଓର୍କେଲ ଥାନାର ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ଛତିଶଗଡ଼ ଜଗଦଲପୁର ଅଞ୍ଚଳର କିଛି ପୂଜାରୀ ଖଟବିଦ୍ୟା କରୁଥିବା ପୋଲିସ ଦେଖିବାକୁ ପାଇଥିଲା ।

ଗାଁରେ ଗତବର୍ଷ ଲଗାତାର ଭାବେ ପଶୁପକ୍ଷୀ ମୃତ୍ୟୁ ହେଉଥିବାରୁ ଖଟୁଳି ଯୋଗେ ପୂଜାର୍ଚ୍ଚନା କରି କିଏ ଗୁଣିକରି ମାରୁଛି ସେନେଇ ଜଣେ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ ଗାଁରୁ ବିତାଡ଼ୁଥିବା ଦେଖିବାକୁ ପାଇଥିଲା ପୋଲିସ । ସମ୍ପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ୬ ଜଣ ପୂଜାରୀଙ୍କୁ ଗିରଫ କରିଛି ଓର୍କେଲ ପୋଲିସ ।  ସେମାନେ ବ୍ୟବହାର କରୁଥିବା ଖଟୁଳି ଓ ଏକ କାରକୁ ଜବତ କରିଛି ।