ଏକା ସାଙ୍ଗରେ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ, ସନ୍ଦେହ ଘେରରେ ମୃତ୍ୟୁ

ଅନୁଗୋଳ: ଏକାଠି ଚାଲିଗଲେ ସ୍ୱାମୀ ସ୍ତ୍ରୀ । ଦୁଇ ଦୁଇଟା ପିଲାଙ୍କୁ ଅନାଥ କରିଦେଇଗଲେ ସବୁଦିନ ପାଇଁ । କଣ ହେଲା, କେମିତି ହେଲା ମିଳୁନି କିଛି ସଠିକ୍ ତଥ୍ୟ । ଏପଟେ ପରିବାର ଲୋକେ କାନ୍ଦି କାନ୍ଦି ନୟାନ୍ତ । ଘରର ଦୁଇ ଦୁଇ ଜଣଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ପର ଘରେ ମୂଲ ଲାଗି ଖୁବ୍ ଦୁଃଖ କଷ୍ଟରେ ଚଳାଉଥିଲେ ପରିବାର । ହେଲେ ଏମିତି କଣ ହେଲାଯେ ଏକାଠି ଚାଲିଗଲା ଉଭୟଙ୍କ ଜୀବନ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଗୋଡି ମୁଣ୍ଡା ସାହିରେ ।
ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏବେ ସମସ୍ତଙ୍କ ଆଖିରେ ଲୁହ । କୋହ ସମ୍ଭାଳି ପାରୁନାହାନ୍ତି ପରିବାର ଲୋକେ । ତେବେ ମୃତକ ସ୍ୱାମୀ ସ୍ତ୍ରୀ ହେଉଛନ୍ତି ସୁର ପଧାନ ଓ ସୁକାନ୍ତି ପଧାନ । ଯାହା ଖବର ମିଳିଛି କି, ଉଭୟ ଦୀର୍ଘ ଏକ ବର୍ଷ ହେବ ପାଖ ଗାଁର ଜଣକ ଘରେ ରହି ଚାଷ କାମ କରୁଥିଲେ । ହେଲେ ହଠାତ୍ ଉଭୟଙ୍କ ମୃତ୍ୟୁ ହୋଇଥିବା ନେଇ ଗତକାଲି ଖବର ପହଁଚିଥିଲା ଘର ଲୋକଙ୍କ ପାଖରେ । ଖବର ପାଇ ତୁରନ୍ତ ପରିବାର ଲୋକେ ଘଟଣାସ୍ଥଳରେ ପହଁଚି ଥିଲେ କିନ୍ତୁ ସେତେବେଳକୁ ଉଭୟଙ୍କୁ ମେଡିକାଲ୍ ନିଆଯାଇସାରିଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ ।
ତେବେ ମାଲିକର କହିବା ମୁତାବକ, ଉଭୟଙ୍କୁ ବିଲ ପାଖରେ ପଡିଥିବାର ଦେଖି ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏପଟେ ଦମ୍ପତି ଫାର୍ମ ହାଉସରେ କାମ କରୁଥିଲେ । ତେଣୁ କିଏ କହୁଛି ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ହୋଇଛି ତ କିଏ କହୁଛି ଅତ୍ୟଧିକ ମଦ୍ୟପାନ କରି ମୃତ୍ୟୁବରଣ କରିଛନ୍ତି । ସେପଟେ ହାତୀ ପାଇଁ ବିଛା ଯାଇଥିବା ସୋଲାର କରେଣ୍ଟରେ ମୃତ୍ୟୁ ହୋଇଥିବା କଥା ସମ୍ଭବ ନୁହେଁ ବୋଲି କହିବା ସହ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ତେବେ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁର ଖିଆ ଖୋଜୁଛି ବନ୍ତଳା ପୋଲିସ୍ । ମୃତଶରୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ଦମ୍ପତିଙ୍କ ମୃତ୍ୟୁ କେମିତି ହେଲା? ମୃତ୍ୟୁ ପାଇଁ ଦାୟୀ କିଏ? ମଦ୍ୟପାନ ପାଇଁ ମୃତ୍ୟୁ ନା ସୋଲାର କରେଣ୍ଟ ପାଇଁ ମୃତ୍ୟୁ ନା କିଏ କରିଛି ହତ୍ୟା? ଏ ସମସ୍ତ ପ୍ରଶ୍ନର ଉତ୍ତରକୁ ଅପେକ୍ଷା ।