ଆର୍‌ଏସ୍‌ପି ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ, ୨ ସାଙ୍ଗଙ୍କ ସହ ଗାଧେଇବାକୁ ଯାଇଥିଲେ ପିତାମହଲ ଡ୍ୟାମ୍‌

ରାଉରକେଲା(କେନ୍ୟୁଜ୍): ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ର ଜଣେ ଯୁବ ଇଞ୍ଜିନିଅରଙ୍କ ଅକାଳ ବିୟୋଗ। ମୃତକ ହେଉଛନ୍ତି ଆର୍‌ଏସ୍‌ପି ଇନ୍‌ଷ୍ଟ୍ରୁମେଣ୍ଟେସନ ବିଭାଗର ମ୍ୟାନେଜର ବିଶ୍ବଜିତ ଜେନା(୩୨)। ଗାଧେଇବାକୁ ଯାଇଥିବାବେଳେ ଗୋଡ଼ ଖସିଯିବାରୁ ପିତାମହଲ ଡ୍ୟାମରେ ବୁଡ଼ି ତାଙ୍କର ମୃତ୍ଯୁ ହୋଇଥିବା କୁହାଯାଉଛି। ଏନେଇ ବ୍ରାହ୍ମଣୀତରଙ୍ଗ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସେକ୍ଟର-୫, କ୍ବାର୍ଟର ନମ୍ବର ଏ-୨୮ରେ ଶ୍ରୀ ଜେନା ନିଜ ବାପା,ମା, ପତ୍ନୀ ଓ ୨ ବର୍ଷର ଶିଶୁ କନ୍ୟା ସହ ରହୁଥିଲେ। ‌ବିଶ୍ବଜିତ ଗତ ଶନିବାର ସନ୍ଧ୍ୟାରେ ନିଜର ଦୁଇ ସାଙ୍ଗ ସହ ପିତାମହଲ ଡ୍ୟାମକୁ ଗାଧେଇବାକୁ ଯାଇଥିଲେ। ତିନି ସାଙ୍ଗ ଡ୍ୟାମରେ ଗାଧୋଉଥିବାବେଳେ ବିଶ୍ବଜିତଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ଗଭୀର ପାଣି ଭିତରକୁ ପଶିଯାଇଥିଲେ। ଅନ୍ୟ ଦୁଇ ସାଙ୍ଗ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ଅଗ୍ନୀଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଖୋଜାଖୋଜି କରିବାର କିଛି ସମୟପରେ ମୃତ ଦେହ ଉଦ୍ଧାର ହୋଇଥିଲା।

ଅନ୍ଯପଟେ ଦୁଇ ସାଙ୍ଗ ବିଶ୍ବଜିତଙ୍କୁ ପାଖାପାଖି ୧.୩୦ ମିନିଟରେ  ଘରୁ ଆସି ନେଇଯାଇଥିଲେ ଏବଂ ସନ୍ଧ୍ଯା ୬ଟାରେ ବିଶ୍ବଜିତଙ୍କ ମୃତ୍ଯୁ ଖବର ଫୋନ୍ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲେ। ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଶ୍ବଜିତଙ୍କ ବାପା ଓ ପତ୍ନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like