କାହିଁକି ଏକାଠି ଶୋଇଗଲେ ମାଆ, ପୁଅ ଓ ଝିଅ?

ବ୍ରହ୍ମପୁର/ଛତ୍ରପୁର: ନିଶ୍ଚିହ୍ନ ହୋଇଗଲା ବଂଶ । ପୂର୍ବରୁ ଚାଲିଯାଇଥିଲେ ବାପା । ଆଉ ଏବେ ସମସ୍ତଙ୍କୁ ସନ୍ଦେହ ଘେରରେ ରଖି ଆଖି ବୁଜିଲେ ମାଆ, ପୁଅ ଓ ଝିଅ । ଏକାଠି ଶୋଇଗଲେ ଚିରନିଦ୍ରାରେ । ହେଲେ କେମିତି, କିପରି, କାହିଁକି? ଏ ପ୍ରଶ୍ନ ରହିଗଲା ପ୍ରଶ୍ନରେ ।
ଏଭଳି ଏକ ଅଭାବନୀୟ ଘଟଣା ଯାହା ସମଗ୍ର ଅଞ୍ଚଳରେ ଖେଳାଇ ଦେଇଛି ଶୋକର ଛାୟା । ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ସମସ୍ତଙ୍କୁ କରିଛି ଚକିତ । ଯାହା ସୂଚନା ମିଳିଛି, ଘରୁ ସନ୍ଦେହଜନକ ଅବସ୍ଥାରେ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ, ମେଡିକାଲରେ ଆଖି ବୁଜିଲେ ମାଆ, ଝିଅ ଓ ପୁଅ । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଗାଁରେ ଘଟିଛି ଏହି ହୃଦୟବିଦାରକ ଘଟଣା । ମୃତକ ହେଉଛନ୍ତି ୪୦ ବର୍ଷିୟା ଏସ୍. ମାମି ରେଡ୍ଡୀ, ୧୬ ବର୍ଷର ଝିଅ ଏସ. ମିନା ରେଡ୍ଡୀ ଓ ୨୨ବର୍ଷର ପୁଅ ଏସ. ରାକେଶ ରେଡ୍ଡୀ ।
ମିଳିଥିବା ଖବର ଅନୁଯାୟୀ, ଘରେ ଅସ୍ୱାଭାବିକ ଭାବେ ଚିଲ୍ଲାଇବା ସହିତ ଛଟପଟ ହେଉଥିବା ସମୟରେ ପାଖ ପଡୋଶୀ କଣ ହେଲା ବୋଲି ଦେଖିବାକୁ ଧାଇଁ ଯାଇଥିଲେ । ଦେଖିଲା ବେଳକୁ ମାଆ, ଝିଅ ଓ ପୁଅ ତିନି ଜଣ ଯାକ ତଳେ ପଡି ଛଟପଟ ହେଉଛନ୍ତି । ତୁରନ୍ତ ଗାଁ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଏପଟେ ଗତ ୪ବର୍ଷ ପୂର୍ବରୁ ମାମିସଡକ ଦୁର୍ଘଟଣାରେ ନିଜ ସ୍ୱାମୀଙ୍କୁ ହରାଇଥିଲେ । ତଥାପି ପରିବାର ଖୁସିରେ ଜୀବନ ଅତିବାହିତ କରୁଥିଲା । ଝିଅ ଯୁକ୍ତ ଦୁଇରେ ପାଠ ପଢୁଥିବାବେଳେ, ପୁଅ ଆଇଟିଆଇ କରୁଥିଲା । ସେମିତି ଆର୍ଥିକ ଅଭାବ ବି କିଛି ନଥିଲା । ତଥାପି କେଉଁ ପରିସ୍ଥିତି ମାଆ, ପୁଅ ଓ ଝିଅ ଏଭଳି ଚରମ ନିଷ୍ପତି ନେଲେ ତାହା ଏବେ ସମସ୍ତଙ୍କ ମନରେ ବଡ ପ୍ରଶ୍ନ ।
ଏପଟେ ତିନି ଜଣଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ୍ । ଏଭଳି ଗୋଟିଏ ପରିବାରର ତିନି ତିନି ଜଣଙ୍କ ମୃତ୍ୟୁକୁ କେହି ସହଜରେ ବିଶ୍ୱାସ କରି ପାରୁନଥିବାବେଳେ,
ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ଗଞ୍ଜାମ ଥାନା ପୋଲିସ୍ ।
ଆହୁରି ପଢନ୍ତୁ: ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ରୋଗୀଙ୍କ ସମେତ ଆମ୍ବୁଲାନ୍ସର କର୍ମଚାରୀ