ଭିଜିଲାନ୍ସ ଜାଲରେ ସରପଞ୍ଚ, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

କଣିଁହା: ଭିଜିଲାନ୍ସ ଜାଲରେ ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ସୁଶୁବା ପଞ୍ଚାୟତର ସରପଞ୍ଚ । ପଦ୍ମ ଚରଣ ପ୍ରଧାନଙ୍କ ଠାରୁ ବନ୍ଧ କାମର ବିଲ୍ କରାଇଦେବା ନାଁରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ସୁଶୁବା ସରପଞ୍ଚ ମାମାଲି ସାମଲ ଏବଂ ସରପଞ୍ଚଙ୍କ ସ୍ୱାମୀ ଶିଶିର ସାମଲଙ୍କୁ ଗିରଫ କଲା ଭିଜିଲାନ୍ସ ।

ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ସୁଶୁବା ଗ୍ରାମପଞ୍ଚାୟତର ସରପଞ୍ଚ ମାମାଲି ସାମଲ ବନ୍ଧ କାମର ବିଲ୍ କରାଇଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଭିଜିଲାନ୍ସ ହାତରେ । ସୁଶୁବା ଗ୍ରାମପଞ୍ଚାୟତର ପଦ୍ମଚରଣ ପ୍ରଧାନ ବନ୍ଧ ଖୋଳିବା ପରେ ବିଲ୍ ପାଇଁ ସରପଞ୍ଚଙ୍କ ପାଖକୁ ବାରମ୍ବାର ଦୌଡିବା ପରେ ୬୦ ହଜାର ଟଙ୍କାର ବିଲ୍ ପକାଇ ରଖିଥିଲେ । ପଦ୍ମଚରଣ ବଳକା ଥିବା ୧ ଲକ୍ଷ ୧୮ ହଜାର ଟଙ୍କାର ବିଲ୍ କରାଇ ଦେବାପାଇଁ ସରପଞ୍ଚଙ୍କୁ କହିବାରୁ ସରପଞ୍ଚ ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏତେ ଟଙ୍କା ଦେଇ ପାରିବି ନାହିଁ କହିବାରୁ ୨୦ ହଜାର ଟଙ୍କାରେ କଥା ଛିଡାଇଥିଲେ ସରପଞ୍ଚଙ୍କ ସ୍ୱାମୀ ସିସିର ସାମଲ । ପଞ୍ଚାୟତ କାର୍ଯ୍ୟାଳୟକୁ ଟଙ୍କା ନେଇ ଆସିଲେ ବିଲ୍ ହେଇଯିବ କହିଥିଲେ । ଏପଟେ ପଦ୍ମଚରଣ ସରପଞ୍ଚ ଲାଞ୍ଚ ମାଗିଥିବାର ଫୋନ୍ କଲ୍ ରେକର୍ଡିଙ୍ଗ ନେଇ ଭିଜିଲାନ୍ସ ଅଫିସ ଅନୁଗୋଳରେ ପହଞ୍ଚିଥିଲେ । ସବୁ ଶୁଣିବା ପରେ  ଭିଜିଲାନ୍ସ ରଙ୍ଗ ବୋଳା ୨୦ ହଜାର ଟଙ୍କା  ଦେବାପରେ ସରପଞ୍ଚଙ୍କ ପାଖରେ ପହଞ୍ଚିଥିଲେ ପଦ୍ମଚରଣ ପ୍ରଧାନ ।

ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଥିବା ସମୟରେ ସରପଞ୍ଚଙ୍କ ସ୍ୱାମୀ ପଦ୍ମଚରଣ ପ୍ରଧାନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଟଙ୍କା ନେବା ସମୟରେ ହିଁ ସରପଞ୍ଚଙ୍କ ସ୍ୱାମୀ ସିସିର ସାମଲଙ୍କୁ ମାଡି ବସିଥିଲେ ଅନୁଗୋଳ ଜିଲ୍ଲା ଭିଜିଲାନ୍ସ ଡି.ଏସ୍.ପି. ପ୍ରଦୀପ କୁମାର ସାମଲ ଏବଂ ତାଙ୍କ ସହକର୍ମୀମାନେ । ସରପଞ୍ଚ ଏବଂ ତାଙ୍କ ସ୍ବାମୀଙ୍କୁ ଭିଜିଲାନ୍ସ ଅନୁଗୋଳ ଅଫିସକୁ ପଠାଇବା ପରେ ସରପଞ୍ଚଙ୍କ ଘର ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ଖୋଳତାଡ ଆରମ୍ଭ କରିଥିଲେ । ବର୍ତ୍ତମାନ ସରପଞ୍ଚଙ୍କ ସହ ତାଙ୍କ ସ୍ୱାମୀ ଭିଜିଲାନ୍ସ ହାଜତରେ ଅଛନ୍ତି ।