ଦଶମ ଶ୍ରେଣୀ ପରୀକ୍ଷାରେ ଅନୁଗୁଳ ଜିଲ୍ଲାରେ ଦ୍ୱିତୀୟ ହେଲେ ଶୁଭେନ୍ଦୁ, ଛୁଟୁଛି ପ୍ରଶଂସାର ସୁଅ

କଣିହାଁ: ଦିନ ରାତି ଏକ କରି ପରିଶ୍ରମ କରୁଥିଲେ ଶୁଭେନ୍ଦୁ । ସାଙ୍ଗସାଥୀଙ୍କ ସହ ଖେଳକୁଦ କିମ୍ବା ମୋବାଇଲରେ ସମୟ ଅପଚୟ ନକରି ପାଠ ପଢ଼ୁଥିଲେ । ଠିକା ଶ୍ରମିକ ଭାବେ ତାଙ୍କ ବାପା କାମ କରନ୍ତି । ଆଉ ମା’ ଗୃହିଣୀ ଭାବେ ଘର ଚଳାନ୍ତି । ବାପା ମା’ଙ୍କ ଅକ୍ଳାନ୍ତ ପରିଶ୍ରମର ମୂଲ୍ୟ ଦେବାକୁ ଯାଇ ଶୁଭେନ୍ଦୁ ଯେଉଁ ସଫଳତା ହାସଲ କରିଛନ୍ତି ତାହା ସତରେ ପ୍ରଶଂସନୀୟ ।
ଚଳିତ ବର୍ଷ ଉଚ୍ଚ ପ୍ରାଥମିକ ବୋର୍ଡ ପରୀକ୍ଷାରେ ୫୭୧ ନମ୍ବର ରଖି ଅନୁଗୁଳ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଶୁଭେନ୍ଦୁ କୁମାର ସାହୁ । ପିଲାଟି ଦିନରୁ ପାଠ ପଢ଼ା ପ୍ରତି ଥିବା ଆଗ୍ରହ ତାଙ୍କୁ ଏମିତି ସଫଳତା ଆଣି ଦେଇଛି । ସବୁ ବାଧାବିଘ୍ନକୁ ପାର୍ କରି ବାପା ମା’ଙ୍କୁ ଗର୍ବିତ କରିଛନ୍ତି ଶୁଭେନ୍ଦୁ। ଶୁଭେନ୍ଦୁଙ୍କ ଘର କଣିଁହା ବ୍ଲକ ବଜ୍ରକୋଟ ଗ୍ରାମପଞ୍ଚାୟତର ଖାଳପାଳ ଗାଁରେ ହୋଇଥିବାବେଳେ ସେ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ବଜ୍ରକୋଟର ଛାତ୍ର ଥିଲେ । ଶୁଭେନ୍ଦୁଙ୍କ ବାପା ଠିକା ଶ୍ରମିକ ଭାବେ ଏକ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ମାଆ ଗୃହିଣୀ ଭାବେ ଘର ଚଳାଉଛନ୍ତି । ଶୁଭେନ୍ଦୁ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଛନ୍ତି । ତେବେ ଚଳିତ ବର୍ଷ ବୋର୍ଡ ପରୀକ୍ଷାରେ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ବନ୍ଧୁ ପରିଜନମାନଙ୍କ ଠାରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । କୌଣସି ବିଷୟକୁ କେବଳ ଘୋଷିଲେ ହେବନାହିଁ , ତାକୁ ବୁଝି ପଢିବା ଦରକାର ବୋଲି ପ୍ରକାଶ କରିଥିଲେ ଏବଂ ଏଥି ସହିତ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ଶୁଭେନ୍ଦୁ । ତେବେ ଏହି ସଫଳତାର ସମ୍ପୂର୍ଣ୍ଣ ଶ୍ରେୟ ନିଜ ପରିବାର, ଗୁରୁ ଏବଂ ସାଙ୍ଗସାଥୀମାନଙ୍କୁ ଦେଇଛନ୍ତି ଶୁଭେନ୍ଦୁ ।
ଆଜିର ଡିଜିଟାଲ୍ ଯୁଗରେ ଯୁବପିଢ଼ି ସୋସିଆଲ ମିଡିଆ ଏବଂ ସ୍ମାର୍ଟଫୋନରେ ସମୟ ଦେଉଥିବା ବେଳେ ଶୁଭେନ୍ଦୁ କିନ୍ତୁ ଫୋନ୍ ଠାରୁ ଦୂରେଇ ରହୁଥିଲେ । ଶୁଭେନ୍ଦୁଙ୍କ ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ । ଶୁଭେନ୍ଦୁଙ୍କ କଠିନ ପରିଶ୍ରମ ତାଙ୍କୁ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିବାରେ ସହାୟ ହୋଇଛି । ଏ ସ୍ଥାନରେ ପହଞ୍ଚିବା ପାଇଁ ଶୁଭେନ୍ଦୁ ଯେଉଁ ଏକାଗ୍ରତା ଦେଖାଇଛନ୍ତି ଆଉ ବାପା ମା’ଙ୍କର ସହଯୋଗ ପାଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ।
Also Read: ବାପା ଜଣେ ଦିନ ମଜୁରିଆ, ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ଼ ରଖି ସୁନାମ ଆଣିଛନ୍ତି ଝିଅ