ପୁରୀ ସ୍ଵର୍ଗଦ୍ଵାର ରୂପାନ୍ତିକରଣରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ, ଲୋକାର୍ପଣ ହେଲା ‘ସ୍ଵର୍ଗଦ୍ଵାର ମୋବାଇଲ ଆପ୍’
ପୁରୀ ସ୍ଵର୍ଗଦ୍ଵାର ରୂପାନ୍ତିକରଣରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ । ଗତକାଲି ଶୁକ୍ରବାର ସନ୍ଧ୍ୟାରେ ସ୍ଵର୍ଗଦ୍ଵାର ପରିସରରେ ସ୍ଵର୍ଗଦ୍ଵାର ମୋବାଇଲ ଆପ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ ।

ପୁରୀ(କେନ୍ୟୁଜ୍) : ପୁରୀ ସ୍ଵର୍ଗଦ୍ଵାର ରୂପାନ୍ତିକରଣରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ । ଗତକାଲି ଶୁକ୍ରବାର ସନ୍ଧ୍ୟାରେ ସ୍ଵର୍ଗଦ୍ଵାର ପରିସରରେ ସ୍ଵର୍ଗଦ୍ଵାର ମୋବାଇଲ ଆପ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ । ଏହି ଅବସରରେ ସ୍ଵର୍ଗଦ୍ଵାରକୁ ଆସୁଥିବା ଶବ ସଂଖ୍ୟା ବଢୁଥିବାରୁ ସହଜ ରେଜିଷ୍ଟ୍ରେସନରେ ଏହା ସହାୟକ ହେବ ବୋଲି ସେ କହିଥିଲେ । ଖାଲି ସେତିକି ନୁହେଁ ସ୍ଵର୍ଗଦ୍ଵାରରେ ଦାହସଂସ୍କାର ସେବା ପାଇବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଏହି ମୋବାଇଲ ଆପରୁ ସ୍ୱର୍ଗଦ୍ୱାରରୁ ମିଳୁଥିବା ସମସ୍ତ ସେବା ବିଷୟରେ ମଧ୍ୟ ସହଜରେ ଜାଣି ପାରିବେ ଓ ପାଇ ପାରିବେ ବୋଲି ସେ ସୂଚନା ଦେଇଥିଲେ।
ତେବେ ଏହି ଆପ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ଉପଲବ୍ଧ ହେବ। ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚ ପୁରୀ ଶାଖା ତରଫରୁ ସ୍ଵର୍ଗଦ୍ଵାର ସେବା ସମିତିକୁ ଏକ ହାଇଡ୍ରୋଲିକ ଟ୍ରାକ୍ଟର ଡାଲା ପରିବହନ ସେବା ପାଇଁ ପ୍ରଦାନ କରାଯାଇଥିଲା । ସ୍ୱର୍ଗଦ୍ଵାର ସେବା ସମିତି ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ,ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚ ମୁଖ୍ୟ ପ୍ରବନ୍ଧକ ଶ୍ରୀ ବିଜୟ କୁମାର ଶତପଥୀ,ସୂଚନା ଲୋକୋ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସ୍ଵର୍ଗଦ୍ଵାର ସେବା କେନ୍ଦ୍ରର ସେବକ ମାନେ ପରିଚାଳନା କରିଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତ କିଛି ଦିନ ତଳେ ସ୍ଵର୍ଗଦ୍ଵାର ସେବା ସମିତି ପକ୍ଷରୁ ସ୍ଵର୍ଗଦ୍ଵାର ନୂତନ ୱେବସାଇଟ ସ୍ଵର୍ଗଦ୍ଵାର ଡ଼ଟ୍ କମ୍ (swargadwar.com)କୁ ଲୋକାର୍ପଣ କରାଯାଇଥିଲା ।
ତେବେ ସୂଚନା ଥାଉକି, ପୁରୀ ସ୍ୱର୍ଗଦ୍ୱାରକୁ ଅନ୍ତିମ ସଂସ୍କାର ପାଇଁ ଆଣୁଥିବା ଲୋକମାନଙ୍କୁ ସହଜରେ ସେବା ଯୋଗାଇଦେବା ଲକ୍ଷ୍ୟରେ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହିତ କହିବାକୁ ଚାହିଁବୁ ଯେ ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ପାଉଥିବା ଲୋକମାନେ ଅନ୍ତିମ ସଂସ୍କାର ପାଇଁ ଦେଢ଼ କୁଇଣ୍ଟାଲ କାଠ ପାଉଥିଲେ । ମାତ୍ର ଏବେ ତାହାକୁ ଏକ କୁଇଣ୍ଟାଲ ୮୦ କେଜି କରାଯାଇଛି । ଏଥିସହିତ ଘିଅର ପରିମାଣକୁ ୨୦୦ ଗ୍ରାମରୁ ୩୦୦ ଗ୍ରାମକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଶବ ସଂସ୍କାର କରିବାକୁ କାଠ ବୋହିବା ପାଇଁ କେବଳ ଟ୍ରଲିର ବ୍ୟବସ୍ଥା ଥିବାବେଳେ ଏବେ କାଠ ବୋହିବା ପାଇଁ ୭ ଜଣ ପରିବହନ ସେବକଙ୍କୁ ମୁତୟନ କରାଯାଇଛି ।
ଏଥିସହିତ ସ୍ୱର୍ଗଦ୍ୱାର ସେବା କେନ୍ଦ୍ରରୁ ସେବା ନେଇଥିବା ବ୍ୟକ୍ତିମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏସଏମଏସ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଯଦି କେହି ତାଙ୍କର ରସିଦ ହଜାଇଦେବେ, ତେବେ ସେମାନେ ରେଜିଷ୍ଟ୍ରେସନ ନମ୍ବର ଦେଖାଇ ସହଜରେ ଡୁପ୍ଲିକେଟ ରସିଦ ପାଇପାରିବେ ।