ଖାଉଟିଙ୍କ ସ୍ବାସ୍ଥ୍ୟ ସହ ସଂଘାତିକ ଖେଳ ଖେଳୁଛନ୍ତି ଅପମିଶ୍ରଣକାରୀ, ଦୁଗ୍ଧ ବ୍ୟବସାୟୀ ସଂଘ କହିଲା କଟକକୁ ଦିନକୁ ୧୦ ଟନ ସିନ୍ଥେଟିକ ପନିର ଆସୁଛି

କେନ୍ୟୁଜ୍(ବ୍ୟୁରୋ): ପୁରା ନକଲି କବଜାରେ କଟକ ସହର। କେବଳ ତେଲ, ଘିଅ, ମସଲା କିମ୍ବା ସସ୍ ନୁହେଁ ଦୁଗ୍ଧ ଜାତ ସାମଗ୍ରୀରେ ମଧ୍ୟ ବେଶ ବାରି ହୋଇ ଯାଉଛି ଅପମିଶ୍ରଣର ଗନ୍ଧ। ଜନସାଧରଣଙ୍କ ସ୍ବାସ୍ଥ୍ୟ ସହ ଖେଳାଯାଉଛି ସାଂଘାତିକ ଖେଳ। ମୁନାଫାଖୋର ବ୍ୟବସାୟୀ ମଧ୍ୟ ଏସବୁ ନକଲି ସାମଗ୍ରୀ ବିକି ବେଶ ମାଲାମାଲ ହେଉଛନ୍ତି। ତେଲ ମସଲା ପରେ ପୁଣି କଟକରୁ ଆଜି ଜବତ ହୋଇଛି ଏକ କ୍ୟୁଇଣ୍ଟାଲରୁ ଉର୍ଦ୍ଧ୍ବ ସିନ୍ଥେଟିକ ପନିର। ଏହି ଅପମିଶ୍ରିତ ପନିର ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। କୋଲକାତାରୁ କଟକକୁ ଆସୁଥିଲା ଏହି ପନିର। ଜଣେ ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ବେଳେ ଖସି ଯାଇଛନ୍ତି ଅନ୍ୟ ଦୁଇ ଅଭିଯୁକ୍ତ। ଏକ ଗାଡି ମଧ୍ୟ ଜବତ କରିଛି ପୋଲିସ।
ଏମିତି ପ୍ରସ୍ତୁତ ହେଉଥିଲା ସିନ୍ଥେଟିକ୍ ପନିର
ୟୁରିଆ, ସଲଫୁରିକ ଏସିଡି, ଡିଟରଜେଣ୍ଟ, ମଇଦା, କୋଲତାର ଡାଇଜ, ନଷ୍ଟ ହୋଇଥିବା କ୍ଷୀର, ପାମୋଲିଭ ତେଲ, ଗ୍ଲିସେରିନ ମିଶାଇ ତିଆରି ହେଉଥିଲା ଏହି ପନିର। ଏହି ପନିର ସାମ୍ପୁଲ ନେଇ ଆଜି ସଙ୍ଗେ ସଙ୍ଗେ FSSAI ର ମୋବାଇଲ ଭ୍ୟାନ ପରୀକ୍ଷାଗାରରେ ପରୀକ୍ଷା କରାଯାଇଛି।
ଆଜି ଜବତ ହୋଇଥିବା ନକଲି ପିନର ତ ଅଳ୍ପ କିଛି, କିନ୍ତୁ ଦୈନିକ ୧୦ ଟନ ସିନ୍ଥେଟିକ ପନିର କଟକ ସହରକୁ ଚାଲାଣ ହେଉଥିବା ଅଭିଯୋଗ ଆଣିଛି ଦୁଗ୍ଧ ଓ ଦୁଗ୍ଧ ଜାତୀୟ ପଦାର୍ଥ ବ୍ୟବସାୟୀ ସଂଘ। ଏହା ଏକ ବଡ଼ ନେଟୱର୍କ, ଏଥିରେ ଅନେକ ବଡ଼ ବଡ଼ ଅସାଧୁ ବ୍ୟବସାୟୀ ସମ୍ପୃକ୍ତ ଥିବା ସଙ୍ଘ ଅଭିଯୋଗ ହୋଇଛି । ଏହା ଦ୍ୱାରା ସ୍ଥାନୀୟ ଗୋପାଳକ ତଥା ଦୁଗ୍ଧ ବ୍ୟବସାୟୀ ଅନେକ କ୍ଷତିର ସମ୍ମୁଖୀନ ହେଉଥିବା କହିଛି ସଙ୍ଘ।