୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହେଲେ ସହକାରୀ ରାଜସ୍ୱ ନିରୀକ୍ଷକ
କେନ୍ଦୁଝର: ଭିଜିଲାନ୍ସ ଜାଲରେ ସହକାରୀ ରାଜସ୍ୱ ନିରୀକ୍ଷକ । ଲାଞ୍ଚ ନେଇ ଗିରଫ ହୋଇଛନ୍ତି କେନ୍ଦୁଝର ବଡ଼ବିଲ୍ ତହସିଲ୍ ଏଆରଆଇ ରାମେଶ୍ୱର ମାରାଣ୍ଡି । ଜମି ଚିହ୍ନଟ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବଡବିଲ୍ ୱାର୍ଡ ନଂ ୨ର କାରାକୋହ୍ଲ ଅଞ୍ଚଳର ଜାକଲିଅସ୍ କିସପଟା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜମି ଚିହ୍ନଟ ପାଇଁ ସେ ବଡବିଲ୍ ତହସିଲରେ ଆବେଦନ କରିଥିଲେ । ତହସିଲଦାରଙ୍କ ପକ୍ଷରୁ ଜମି ଚିହ୍ନଟ ପାଇଁ ମଧ୍ୟ ଆଦେଶ ହୋଇଥିଲା । ହେଲେ ବିଭିନ୍ନ ଆଳ ଦେଖାଇ ଜମି ଚିହ୍ନଟରେ ବିଳମ୍ବ କରାଇଥିଲେ । ୫ ହଜାର ଟଙ୍କା ଦେଲେ ଶୀଘ୍ର ଜମି ଚିହ୍ନଟ କରାଇଦେବେ ବୋଲି କହିଥିଲେ । ଏହାପରେ ୩ ହଜାର ଟଙ୍କାରେ କଥା ଛିଡ଼ିଥିଲା । ଏଆରଆଇ ରାମେଶ୍ୱର ମାରାଣ୍ଡି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ରେଡ୍ ହ୍ୟାଣ୍ଡ ଧରିଛି । ସେପଟେ ଲାଞ୍ଚ ନେବା କଥାକୁ ଅସ୍ୱୀକାର କରିଛନ୍ତି ଏଆରଆଇ ।