ବାଲେଶ୍ୱର: ବାଲେଶ୍ୱରରେ ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣାରେ ପୀଡ଼ିତାଙ୍କ ସହ କଥା ହେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଛୁଆଙ୍କୁ ନିୟମିତ ଅଣ୍ଡା ମିଳୁନଥିବା ପ୍ରତିବାଦରେ ଅଙ୍ଗନବାଡ଼ି କେନ୍ଦ୍ରରେ କଙ୍ଗାରୁ କୋର୍ଟ ଚାଲିଥିଲା । ଅଙ୍ଗନବାଡ଼ି କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲେ ଗାଁ ଲୋକେ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ମହାପଦା ଗାଁରେ ଘଟିଥିଲା ବର୍ବରକାଣ୍ଡ । ଏନେଇ ଉର୍ମିଳା ସାମଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପୀଡ଼ିତା ଉର୍ମିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଉର୍ମିଳାଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଘଟଣା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ମେଡିକାଲରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ତୁରନ୍ତ ଧରିବାକୁ ବାଲେଶ୍ୱର ଏସ୍ ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସୂଚନା ଅନୁସାରେ ଗତ ଗୁରୁବାର ଉର୍ମିଳା ଅଙ୍ଗନବାଡ଼ି କେନ୍ଦ୍ର ଛୁଟି କରି ଘରକୁ ବାହାରିବା ବେଳେ ଗାଁର ୧୫ ଜଣ ମହିଳା ପହଞ୍ଚିଥିଲେ । ପ୍ରଥମେ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ଚେୟାରରେ ବାନ୍ଧି ଉର୍ମିଳାଙ୍କୁ ମାଡ଼ ମାରିଥିଲେ । ପରେ ଘୋଷାଡ଼ି ନେଇ ଏକ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲେ । ଖବରପାଇ ସିଡ଼ିପିଓ ଓ ଅଙ୍ଗନବାଡ଼ି କର୍ମୀ ଘଟଣାସ୍ଥଳରୁ ଉର୍ମିଳାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ପ୍ରଥମେ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।