ଭାଇଚାରାର ସନ୍ଦେଶ ବାଣ୍ଟୁଛି ତମିଆଁ ରାମଲୀଳା

ପାଟଣାଗଡ଼: ଭାଇଚାରାର ନିଆରା ନିଦର୍ଶନ । ଦୁଲୁକୁଛି ମଞ୍ଚ । ପାରମ୍ପରିକ ବାଦ୍ୟ ସାଙ୍ଗକୁ ବାଜା ମହୁରୀରେ କମ୍ପୁଛି ପରିବେଶ । ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ସହିତ ଯୁବ ସମାଜକୁ ଆମର ସଂସ୍କୃତି ଓ ପରମ୍ପରା ଆଡକୁ ଆକୃଷ୍ଟ କରୁଛି ତମିଆଁ ରାମଲୀଳା।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆଁ ଗାଁ, ପ୍ରାୟ ୧୦୦ ବର୍ଷ ହେବ ତମିଆଁ ରେ ପ୍ରତିବର୍ଷ ରାମନବମୀ ଠାରୁ ରାମଲୀଳା ପରିବେଷଣ ହୋଇ ଆସୁଛି। ପୂର୍ବରୁ ଏହା ୧ ମାସ ୬ ଦିନ ଧରି ପରିବେଷଣ କରାଯାଉଥିବା ବେଳେ ଏବେ ୭ଦିନରେ ରାମାୟଣର ମୁଖ୍ୟ ବିଷୟବସ୍ତୁକୁ ନେଇ ପରିବେଷଣ କରାଯାଇଥାଏ ରାମଲୀଳା। ଗାଁ ର ହିନ୍ଦୁ ମୁସଲିମ ଉଭୟ ସମ୍ପ୍ରଦାୟ ମିଶି ଏହି ରାମଲୀଳା ପରିବେଷଣ କରୁଥିବା ବେଳେ ସମସ୍ତେ ନିର୍ଜ୍ଜଳା ଉପବାସ ରହି ରାମଲୀଳା ପରିବେଷଣ କରିଥାନ୍ତି ।
ତମିଆଁ ରାମଲୀଳା ଅନଙ୍ଗ ନରେନ୍ଦ୍ର ଭଣତି ପୁସ୍ତକ କଥାବସ୍ତୁ ଉପରେ ପରିବେଷଣ କରାଯାଉଥିବା ବେଳେ ରାମଲୀଳାରେ ଅଭିନୟ କରିବା ପାଇଁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଆଗ୍ରହୀ ଥାନ୍ତି । ଆଧୁନିକ ଅନେକ ବାଦ୍ୟଯନ୍ତ୍ର ଆସିଥିବା ବେଳେ ସେହି ପାରମ୍ପରିକ ଗିନି ଓ ମୃଦଙ୍ଗରେ ଚାଲିଥାଏ ରାମଲୀଳା। ଗାଁର ଛୋଟରୁ ବଡ଼ ସମସ୍ତେ କଳାକାର ହୋଇଥିବା ବେଳେ କଳାକାର ମାନେ ନିଜନିଜ ମଧ୍ୟରେ ବିଭିନ୍ନ ଚରିତ୍ର ପାଇଁ ସାଜସଜ୍ଜା ହୋଇଥାନ୍ତି । ପୁରାତନ ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ଯୁବସମାଜ ଆଗେଇ ଆସୁଥିବା ହେତୁ ଗ୍ରାମବାସୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳିଥାଏ। ସନ୍ଧ୍ୟା ହେଲା ମାତ୍ରକେ ରାମଲୀଳା ଦେଖିବା ପାଇଁ ଶହଶହ ଗ୍ରାମବାସୀ ପେଣ୍ଡାଲ ପାଖରେ ରୁଣ୍ଡ ହୋଇଥାନ୍ତି ।
ସେହିପରି ପୋଲସରା ଅଞ୍ଚଳର ମାସନ୍ତ ମେରୁ ଯାତ୍ରା ମଧ୍ୟ ଉଦଯାପିତ ହୋଇଯାଇଛି । ଦଣ୍ଡୁଆ ମାନେ କଣ୍ଟାରେ ଗଡିବା ସହ ନିଆଁର ଝାସରେ ଅଗ୍ନି ପରୀକ୍ଷା ଦେଇଛନ୍ତି । ଏହି ଭଳି ନିଆରା ପରମ୍ପରା ମେରୁ ପର୍ବ ଦେଖିବା ପାଇଁ ସୁଦୂର ଇଟାଲୀରୁ ଧାଇଁ ଆସିଛନ୍ତି ପର୍ଯ୍ୟଟକ। ଇଟାଲୀ ଦେଶରୁ ତିନି ଜଣ ପର୍ଯ୍ୟଟକ ପୋଲସରା ଅଞ୍ଚଳର ରାଣୀପଡା ଓ ରୁମାଗଡ ଗାଁରେ ପହଞ୍ଚି ମେରୁ ଦେଖିବା ସହିତ କ୍ୟାମେରା ଲେନ୍ସରେ ଏହି ଲୋକକଳାର ପ୍ରତିଟି ମୁହୂର୍ତ୍ତକୁ ବାନ୍ଧି ରଖିବାକୁ ଚେଷ୍ଟା କରିଛନ୍ତି । ଏହା ସହିତ ଏହି ମହାନ୍ ପରମ୍ପରା ବିଷୟରେ ଆଲୋଚନା କରି ବହୁତ ଖୁସି ଅନୁଭବ କରିଥିବା ବେଳେ ଆଉ କିଛି କଳାକାର ମା’ଙ୍କ ଦିବ୍ୟ ଅନୁଭୂତିକୁ ଛାଡି ରହି ପାରୁନାହାନ୍ତି । ସବୁ ବର୍ଷ ଭଳି ଗୁଜରାଟର ସୁରଥ ସହରରୁ ଛୁଟି ଆସୁଛନ୍ତି ମା’ ଦଣ୍ଡକାଳୀଙ୍କ ନିକଟକୁ ।
ତମିଆଁ ରାମଲୀଳାରେ ହିନ୍ଦୁ ମୁସଲିମ ଅଭିନୟ କରି ଅଞ୍ଚଳରେ ଗାଁର ଭାଇଚାରା ନିବିଡ଼ ଥିବା ବାର୍ତ୍ତା ଦେଉଥିବା ବେଳେ ଯୁବସମାଜ ପୁରାତନ ସଂସ୍କୃତି ଓ ପରମ୍ପରାକୁ ଆପଣେଇ ନେଉଥିବାରୁ, ଦେଶ ତଥା ରାଜ୍ୟବାସୀଙ୍କ ପାଇଁ ସାଜିଛନ୍ତି ଉଦାହରଣ।
Also read:ବାପାକୁ ମାରି ମାଆ ହତ୍ୟାର ପ୍ରତିଶୋଧ ନେଲା ପୁଅ