ଭାରସାମ୍ୟ ହରାଇ ମନ୍ଦିର ଉପରକୁ ମାଡିଗଲା ଟ୍ରକ, ଡ୍ରାଇଭର ଗୁରୁତର

ବଲାଙ୍ଗିର: ରାସ୍ତା କଡରେ ଥିବା ମନ୍ଦିର ଉପରକୁ ମାଡିଗଲା ଟ୍ରକ । ବଲାଙ୍ଗିର ସହର ଗାନ୍ଧୀନଗର ପଡା ମହାଦେବ ମନ୍ଦିର ସମ୍ମୁଖରେ ଥିବା ଶନି ମନ୍ଦିର ଉପରକୁ ମାଡିଗଲା ଟ୍ରକ ।  ଏହି ଦୁର୍ଘଟଣା ଫଳରେ ମନ୍ଦିରଟି ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇ ଯାଇଥିବା ବେଳେ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଖବର ଅନୁଯାୟୀ, ଆଜି ଭୋର ସମୟରେ ଟ୍ୟାଙ୍କରଟି ବଜାର ମଧ୍ୟରେ ଯାଉଥିବା ବେଳେ କୌଣସି କାରଣବଶତଃ ଡ୍ରାଇଭରଜଣକ ଭାରସାମ୍ୟ ହରାଇ ବସିଥିଲେ ।  ଏହାପରେ ଦ୍ରୁତ ଗତିରେ ଥିବା ଗାଡ଼ିଟି ନିକଟରେ ଥିବା ଶନି ମନ୍ଦିର ଉପରେ ଚଢ଼ି ଯାଇଥିଲା । ଫଳରେ ମନ୍ଦିର ସମେତ ବିଗ୍ରହ ବି ମାଟିରେ ମିଶି ଯାଇଛି ।  ଏହି ଦୁର୍ଘଟଣା ପରେ ଡ୍ରାଇଭରଜଣକ ଗାଡ଼ି ଭିତରେ ଫସି ରହିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ତାଙ୍କୁ ଗାଡ଼ି ଭିତରୁ ବାହର କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।