ତପସ୍ୱିନୀଙ୍କ ଗୃହ ପ୍ରବେଶ ପରେ ଘର ଛାଡ଼ିଲେ ଶ୍ୱଶୁର, କହିଲେ- ‘ମୁଁ ଘରେ ଅସୁରକ୍ଷିତ ମଣୁଛି’

ବୋହୂ ତପସ୍ୱିନୀଙ୍କ ଏଣ୍ଟ୍ରି ପରେ ଘରୁ ବାହାରି ଯାଇଛନ୍ତି ଶ୍ୱଶୁର ଅର୍ଥାତ୍‌ ସୁମିତଙ୍କ ବାପା। ବୋହୂ ଘରେ ପ୍ରବେଶ କରିବା ପରେ ନିଜକୁ ଅସୁରକ୍ଷିତ ମଣି ଘର ଛାଡ଼ିଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ଘର ଛାଡ଼ିବା ପରେ ଏକ ଭିଡିଓ ସେୟାର କରି ସେ ଏନେଇ ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ପରିବାର ଲୋକଙ୍କ ପ୍ରତି ମଧ୍ୟ ବିପଦ ଥିବା ସେ କହିଛନ୍ତି।

ଭିଡିଓରେ ସେ କହିଛନ୍ତି, ବୋହୂ ତପସ୍ୱିନୀ ଘରକୁ ପ୍ରବେଶ କରିବା ପରେ ମୁଁ ଅସୁରକ୍ଷିତ ମଣୁଛି। ପୂର୍ବ ପରି ସେ ଆମ ନାଁରେ ମିଛ କେସ୍‌ ଦେଇପାରେ। ମୋର ସୁରକ୍ଷା ବ୍ୟବସ୍ଥା ପାଇଁ ଥାନା ଅଧିକାରୀଙ୍କୁ ଜଣାଇଲି। କୋର୍ଟଙ୍କ ଆଦେଶକୁ ନେଇ ଦ୍ୱନ୍ଦ୍ୱ ଥିଲା। ତଥାପି ମୋର ଇଚ୍ଛା ବିରୁଦ୍ଧରେ ତପସ୍ୱିନୀଙ୍କୁ ଘର ଭିତରେ ପୂରାଇ ଦିଆଗଲା। ଏଣୁ ରାତିରେ ହିଁ ମୁଁ ଅନ୍ୟ ଆଡ଼େ ଚାଲିଯାଇଛି ବୋଲି ସୁମିତଙ୍କ ବାପା ପ୍ରମୋଦ ସାହୁ ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି।

ଗତ କାଲି ରାତିରେ ଜିଲ୍ଲା କୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ସୁମିତଙ୍କ ବାପା ତାଙ୍କ ଘରର ଉପର ମହଲାରେ ବ୍ୟବସ୍ଥା କରାଇଥିବା କୋଠରୀରେ ତପସ୍ୱିନୀଙ୍କୁ ରଖାଇଥିଲେ। ତେବେ ରାତିରେ ତପସ୍ୱିନୀଙ୍କ ସହ ରହିଥିବା ତାଙ୍କ ମା’ଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରତି ବିପଦ ରହିଥିବା କଥା ସୁମିତଙ୍କ ବାପା କହିଛନ୍ତି।

Leave A Reply

Your email address will not be published.