ଲୋଭ ଚାପି ଦେଲେ ଚା ବ୍ୟବସାୟୀ, ମନିପର୍ସ ଭର୍ତ୍ତି ଟଙ୍କା ପାଇ କଲେ ଫେରସ୍ତ 

ଯାଜପୁର(କେନ୍ୟୁଜ୍):  ଧର୍ମଶାଳା ଥାନା ୧୬ନଂ ଜାତୀୟ ରାଜପଥର ଜାରକା ଛକ ନିକଟରେ ମନିପର୍ସ ଭର୍ତ୍ତି ଟଙ୍କା ରାସ୍ତାରେ ପଡିଥିଲା । ଏହାକୁ ସ୍ଥାନୀୟ ଚୋରମୁହାଁ ଗ୍ରାମର କୃଷ୍ଣଚନ୍ଦ୍ର ଦଳେଇ ପାଇଥିଲେ । ସେ ବୃତିରେ ଜଣେ ଚା’ ବ୍ୟବସାୟୀ ହୋଇଥିବା ବେଳେ ଟଙ୍କା ଭର୍ତ୍ତି ପର୍ସ ପାଇଥିଲେ ମଧ୍ୟ ତାଙ୍କ ମନରେ ଲୋଭ ଆସିନଥିଲା । ସେହି ପର୍ସରେ ଏକ ଭୋଟର କାର୍ଡ ରହିଥିଲା । ଯାହା ଫଳରେ ଟଙ୍କା ହଜାଇଥିବା ବ୍ୟକ୍ତିଙ୍କର ପରିଚୟ ମିଳିଥିଲା । ମୟୁରଭଂଜ ଜିଲ୍ଲା ବାଙ୍ଗରିପଶି ଦୋମୁହାଣି ଗ୍ରାମର ବିରେନ ପିଙ୍ଗୁଆ ବୋଲି ଜଣାପଡିଥିଲା । ଟଙ୍କା ସହ ପରିଚୟ ପତ୍ର ପାଇବା ପରେ କୃଷ୍ଣଚନ୍ଦ୍ର ପୁଅକୁ କହି ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ କରିଥିଲେ । ଏଥିସହ ସ୍ଥାନୀୟ ବଜାର କମିଟି, ଗଣମାଧ୍ୟମ ପ୍ରତିନିଧି ଓ ଜାରକା ଫାଣ୍ଡି ଅଧିକାରୀଙ୍କୁ ଏନେଇ ଜଣାଇଥିଲେ ।

ତେବେ ଟଙ୍କା ହଜାଇଥିବା ବ୍ୟକ୍ତିଙ୍କର ଠିକଣା ଠାବ କରି ତାଙ୍କୁ ଖବର ଦିଆଯାଇଥିଲା । ବିରେନ ପାରାଦ୍ୱୀପ ଠାରେ ଏକ କଂପାନୀରେ କାମ କରୁଥିବା ବେଳେ ୧୪ତାରିଖ ଦିନ ନିଜ ବାଇକରେ ଘରକୁ ଫେରୁଥିବା ସମୟରେ ଅସାବଧାନତାବଶତ ଜାରକା ଛକ ନିକଟରେ ତାଙ୍କ ପକେଟରୁ ପର୍ସଟି ଖସିପଡିଥିଲା । ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପର୍ସ ସହ ସମସ୍ତ ଟଙ୍କା ହଜିଛି । ତେବେ ଆଜି ବିରେନ ଜାରକା ଫାଣ୍ଡିରେ ପହଂଚି ଉପଯୁକ୍ତ ପ୍ରମାଣ ଦେଇ ହଜାଇଥିବା ପାଖାପାଖି ୭ହଜାର ଟଙ୍କା ଓ ନିଜର ପରିଚୟପତ୍ର ଫେରି ପାଇଥିଲେ । ଏନେଇ ସେ ଖୁସି ଜାହିର କରିବା ସହ କୃଷ୍ଣଚନ୍ଦ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଟଙ୍କା ଫେରସ୍ତ ସମୟରେ ଜାରକା ଫାଣ୍ଡି ଅଧିକାରୀ , ଜାରକା ବଜାର ବ୍ୟବସାୟୀ ସଂଘର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ । କୃଷ୍ଣଚନ୍ଦ୍ରଙ୍କ ଏଭଳି ମହାନତା କାର୍ଯ୍ୟ ପାଇଁ ଏବେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.