ଗୁରୁଦିବସ ଉତ୍ସବ ପରିବର୍ତ୍ତେ ଗୁରୁଙ୍କ ପାଇଁ ପାଳନ ହେଲା ଶୋକସଭା, ହୃଦଘାତରେ ଚାଲିଗଲେ ପ୍ରିୟ ଗୁରୁ

ଭଞ୍ଜନଗର : ଗୁରୁ ଦିବସ ପାଳନ ପୂର୍ବରୁ ଚାଲିଗଲେ, ପ୍ରିୟ ଗୁରୁ । ଗୁରୁଦିବସ ଉତ୍ସବ ପରିବର୍ତ୍ତେ, ଗୁରୁଙ୍କ ପାଇଁ ପାଳନ ହେଲା ଶୋକସଭା । ହୃଦଘାତରେ, ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦେହାନ୍ତ ହେବାପରେ, ଫିକା ପଡିଗଲା ଗୁରୁ ଦିବସ ପାଳନ ।

ଫୁଲତୋଡା ବଦଳରେ, ହାତରେ ମୋବାଇଲ୍ । ଗୁରୁ ବନ୍ଦନା ବଦଳରେ, ଗୁରୁଙ୍କ ପାଇଁ ଶୋକ ପ୍ରାର୍ଥନା । ଏ ହେଉଛି ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଦୃଶ୍ୟ । ଗୁରୁ ଦିବସ ଉତ୍ସବ ପାଳନ ପୂର୍ବରୁ ସଂପୃକ୍ତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତିଙ୍କ ହୃଦଘାତରେ ବିୟୋଗ ପରେ, ଏ ହେଉଛି ଶୋକାକୁଳ ପରିସ୍ଥିତି ।

ପୂର୍ବ ଦିନ ସମସ୍ତ ପ୍ରସ୍ତୁତି ସରିଥିଲା, କେମିତି ପାଳନ ହେବ ଗୁରୁଦିବସ ଉତ୍ସବ । ଉଭୟ ଗୁରୁ ଓ ଛାତ୍ରଛାତ୍ରୀ ମାନେ ଉତ୍ସାହିତ ହୋଇ ପଡ଼ିଥିଲେ । ହେଲେ, ତାହାର କିଛି ସମୟ ପୂର୍ବରୁ ହୃଦଘାତରେ ଆଖି ବୁଜି ଦେଲ ପ୍ରିୟ ଶିକ୍ଷକ । ଗୁରୁ ପୂଜନ ପୂର୍ବରୁ, ଗୁରୁଙ୍କ ଶବ ଧରି ଶୋଭାଯାତ୍ରାରେ ଯିବାକୁ ପଡିଲା, ହଜାର ସଂଖ୍ୟକ ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଙ୍କୁ ।

ଜଣେ ଆଦର୍ଶ ଅଧ୍ୟାପକ ସାଙ୍ଗକୁ ସ୍ଥାନୀୟ ଅଞ୍ଚଳରେ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖିଥିବା, ଚର୍ଚ୍ଚିତ ଚେହେରା ଥିଲେ ରାମ ସାର୍ । ଗୁରୁଦିବସ ଅବସରରେ ଏମିତି ଜଣେ ଆଦର୍ଶ ଅଧ୍ୟାପକଙ୍କୁ ସବୁଦିନ ପାଇଁ ହରାଇ, ଭାଙ୍ଗି ପଡିଥିଲେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ମାନେ । ଗୁରୁ ପୂଜନ ଉତ୍ସବ ଏବଂ ହସ-ଖୁସି ବଦଳରେ, ଘଟି ଯାଇଥିବା ଶୋକାକୁଳ ସତ୍ୟ ହିଁ ସ୍ପଷ୍ଟ କରୁଥିଲା, ଗୁରୁଦିବସ ଅବସରରେ ଗୁରୁ – ଶିଷ୍ୟ ପରମ୍ପରାର ବାସ୍ତବତାକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.