ଆନନ୍ଦପୁର : ଆଉ ଶୁଭବନି ମାୟାଧର ସାରଙ୍କ ପଣିକିଆ ଡାକ

ଆନନ୍ଦପୁର (କେନ୍ୟୁଜ୍‌) : ରାତି ପାହିଲେ ଆଉ ଅଙ୍ଗାରୁଆ ଗାଁରେ ଶୁଭିବନି ଛୋଟ ଛୁଆଙ୍କ ଅ, ଆ କି ପଣିକିଆ ଡାକ । କାହିଁକିନା ସବୁଦିନ ପାଇଁ ନିରବି ଗଲେ ଆଦର୍ଶ ଶିକ୍ଷକ ମାୟାଧର ସାର। କେନ୍ଦୁଝର ଜିଲ୍ଲା ପାଇଁ ବିନା ମୂଲ୍ୟରେ ଶିକ୍ଷାଦାନ ଦେଇ ଉଦାହରଣ ସାଜିଥିବା ମାୟାଧର ସାର୍‌ଙ୍କର ହୃଦଘାତରେ ପରଲୋକ ହୋଇଛି । ଏନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆଖିରୁ ଲୁହ ଶୁଖୁନି ।

ଆନନ୍ଦପୁର ଉପଖଣ୍ତ ଅଙ୍ଗାରୁଆ ଗାଁରେ ମାୟାଧର ସାରଙ୍କ ଘର। ସେ କିଛି ଦିନ ହେଲା ହୃଦ୍‌ ଜନିତ ରୋଗରେ ପୀଡ଼ିତ ଥିଲେ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ୮୩ ବର୍ଷ ହୋଇଥିଲା । ମାୟାଧର ସାର୍‌ଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ବର୍ଗତ ରଥ ଅଳତି ଡିଏନ ହାଇସ୍କୁଲରୁ ପାଠ ପଢା ଶେଷ କରି ସେଇଠାରେ ହିଁ ଶିକ୍ଷକତା କରିବା ସହ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରି ଚାକିରିରୁ ଅବସର ଗ୍ରହଣ କରିଥିଲେ । ସେ ରାଜ୍ଯପାଳଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଥିଲେ । ଖାଲି ସେତିକି ନୁହେଁ, ସେ ଇଂରାଜୀ ବିଷୟରେ ଅତି ନିପୁଣ ଏବଂ ପାରଦର୍ଶିତା ଲାଭ କରିବା ସହ ରବୀନ୍ଦ୍ରନାଥ ଟାଗୋରଙ୍କ ମୂଳ ଇଂରାଜୀ ରଚନା ଗୀତାଞ୍ଜଳିର ଓଡିଆ ଅନୁବାଦ କରି ରାଜ୍ଯରେ ବେଶ ପ୍ରଂଶସିତ ହୋଇଥିଲେ । ଏହା ବ୍ୟତୀତ ଅନେକ ଶିଶୁ ଗଳ୍ପ, କାବ୍ଯ ଏବଂ କାଳଜୟୀ ଉପନ୍ଯାସ ରଚନା କରିଥିଲେ ।

TEACHER-1

ସବୁଠାରୁ ବଡ଼ କଥା ହେଲା ଗାଁର ପ୍ରତ୍ୟେକ ଗରିବ ଛାତ୍ର ଛାତ୍ରୀଙ୍କୁ ସକାଳେ ଓ ସଞ୍ଜ ସମୟରେ ବିନା ମୂଲ୍ୟରେ ସେ ପାଠ ପଢ଼ାଉଥିଲେ। ଯାହାକୁ ନେଇ ଅନେକ ଥର ଖବରର ଶିରୋନାମା ପାଲଟି ଥିବା ଏହି ଆଦର୍ଶ ଶିକ୍ଷକ ଏବେ ଅଫେରା ରାଇଜରେ। ଆଜି ସକାଳେ ତାଙ୍କ ମର ଶରୀରକୁ ଅଳତି ଡିଏନ ହାଇସ୍କୁଲ ପରିସରକୁ ନିଆଯାଇଥିଲା । ସେଠାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗ୍ରାମବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ଏକ ପଟୁଆରରେ ଗାଁ ପରିକ୍ରମା କରାଯିବା ପରେ ତାଙ୍କର ପୈତୃକ ଗ୍ରାମ ଅଙ୍ଗାରୁଆକୁ ନିଆଯାଇଥିଲା । ସେଠାରେ ହଜାର ହଜାର ଶୁଭେଚ୍ଛୁଙ୍କ ଗହଣରେ ଗାଁ ଶ୍ମଶାନରେ ଶେଷକୃତ୍ଯ ସମ୍ପନ୍ନ କରାଯାଇଥିଲା । ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇ ମୃତ ଶରୀର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ମାୟାଧର ସାର୍‌ଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.