ଶିକ୍ଷକଙ୍କ ନାଁରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ନିଲମ୍ବିତ କଲା ଶିକ୍ଷା ବିଭାଗ

ଆଠମଲ୍ଲିକ(କେନ୍ୟୁଜ୍):ଶିକ୍ଷକଙ୍କ ନାମରେ କଳଙ୍କ । ବିଦ୍ୟାଳୟରେ ପାଠ ପଢ଼ାଇବା ବାହାନାରେ ଶିକ୍ଷକ ଜଣକ ଛାତ୍ରୀମାନଙ୍କୁ ନିରୋଳାରେ ପାଖକୁ ଡାକି ଦେହକୁ ସ୍ପର୍ଶ କରୁଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତରେ ସତ୍ୟାସତ୍ୟ ଜଣା ପଡିବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରିଛି| ଘଟଣାଟି ଘଟିଛି ଆଠମଲ୍ଲିକ ବ୍ଲକ ଅଏଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଅସଦାଚରଣର ଶିକାର ହୋଇଥିବା ୭ ଜଣ ଅଷ୍ଟମ ଶ୍ରେଣୀ ଛାତ୍ରୀ ଲିଖିତ ଭାବରେ ଅଭିଯୋଗ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ ) ଦାଶରଥି ଶୁଣ୍ଢୀ ପ୍ରକାଶ କରି ଏହି ଅଭିଯୋଗର ସେ ତଦନ୍ତ କରିଥିବା  ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ ଅଏଡା ଉଚ୍ଚ ବିଦ୍ୟାଳୟ ଅଧୀନରେ ୨୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ନିବାସ ରହିଛି। ଏହି ଛାତ୍ରୀ ନିବାସରେ ରହୁଥିବା ଅଷ୍ଟମ ଶ୍ରେଣୀ ର ଛାତ୍ରୀ ମାନେ ଅଏଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶିଲ କୁମାର ମିଶ୍ର ବିଭିନ୍ନ ସମୟରେ ଉଦ୍ଦେଶ୍ୟ ମୂଳକ ଭାବରେ ହଷ୍ଟେଲ ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ବାହାନାରେ ପାଖକୁ ଡାକି ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିଲା।

ବାରମ୍ବାର ଅସଦାଚରଣର ଶିକାର ହୋଇଥିବା ଏହି ଛାତ୍ରୀ ମାନେ ଅତିଷ୍ଠ ହୋଇ ଛାତ୍ରୀ ନିବାସର ମାଟର୍ଣ୍ଣଙ୍କୁ ଜଣାଇଥିଲେ। ମାଟର୍ଣ୍ଣ ଉକ୍ତ ଅଭିଯୋଗକୁ ଅଏଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଇବା ପରେ ଘଟଣାଟି ପଦାକୁ ଆସିଥିଲା । ଅଏଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ ସଂକ୍ରାନ୍ତରେ ଅନୁଗୁଳ ଡିଇଓ ଏବଂ ଆଠମଲ୍ଲିକ ବିଇଓଙ୍କୁ ଲିଖିତ ଭାବରେ ଜଣାଇଥିଲେ।  ପରେ ଡିଇଓଙ୍କ ନିର୍ଦ୍ଦେଶ କ୍ରମେ ବିଇଓ ଦାଶରଥି ଶୁଣ୍ଢୀ  ବିଦ୍ୟାଳୟକୁ ଯାଇ ଅଭିଯୋଗ କରିଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ମାନଙ୍କୁ ଅସଦାଚରଣର ସତ୍ୟାସତ୍ୟ ପଚାରି ବୁଝିଥିଲେ। ଏହାପରେ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବିଇଓ ଶ୍ରୀ ଶୁଣ୍ଢୀ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ମିଶ୍ର ତାଙ୍କ ନାମରେ ହୋଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ତେବେ ଏହି ଘଟଣା ପଛରେ ଥିବା ସତ୍ୟାସତ୍ୟ ଶିକ୍ଷା ବିଭାଗ ଗୁରୁତ୍ୱର ସହିତ ନେଇନଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.