ବିଦ୍ୟାଳୟକୁ ବିଳମ୍ୱରେ ଆସୁଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ, ପିଲାଙ୍କ ମଧ୍ୟାହ୍ନ ଭୋଜନ ଖାଇଦେଉଥିବା ଅଭିଯୋଗ
କନ୍ଧମାଳ: ଖୋଲା ରହିଛି ବିଦ୍ୟାଳୟ । କିନ୍ତୁ ଦିନ ଏଗାରଟା ବାଜିଥିଲେ ମଧୟ ବିଦ୍ୟାଳୟକୁ ଆସୁନାହାଁନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ । ଏ ହେଉଛି କନ୍ଧମାଳ ଜିଲ୍ଳା ଫୁଲବାଣୀ ବ୍ଳକ ନୁଆରୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚିତ୍ର । ଏହି ବିଦ୍ୟାଳୟଟି ୧୯୬୯ ମସିହାରେ ଗ୍ରାମବାସୀଙ୍କ ବହୁ ପ୍ରଚେଷ୍ଟାରେ ସ୍ଥାପିତ କରାଯାଇଥିଲା । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ବିଦ୍ୟାଳୟର ଭିତି ଭୁମି ଓ ପରିବେଶ ମଧ୍ୟ ଭଲ ରହିଛି । ୩୦ ଜଣ ଛାତ୍ର ଛାତ୍ରୀ ରହିଥିବା ବେଳେ ଚାରି ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ନିୟୋଜିତ ରହିଛନ୍ତି । କିନ୍ତୁ ଅଭିଯୋଗ ଏହା ଯେ ଠିକ୍ ସମୟରେ ବିଦ୍ୟାଳୟକୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଆସୁ ନାହାନ୍ତି ।
ଏଗାରଟା ସମୟ ରେ ପିଲାମାନେ ଶ୍ରେଣୀ ଗୃହ ମଧ୍ୟରେ ରହି ପାଠ ପଢିବା କଥା କିନ୍ତୁ ବାହାରେ ଖେଳୁଛନ୍ତି । ବିଳମ୍ୱରେ ଆସିଥିଲେ ପ୍ରଧାନ ଶିକ୍ଷୟତ୍ରୀ କ୍ୟାମେରା ଦେଖି ପ୍ରଧାନ ଶିକ୍ଷୟତ୍ରୀ ପ୍ରଥମେ ବିଚଳିତ ହୋଇପଡି ଛାତ୍ର ଛାତ୍ରୀଙ୍କୁ ଡାକି ପ୍ରାର୍ଥନା କରାଇଥିଲେ । ପ୍ରାୟ ସମୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ବିଳମ୍ୱରେ ବିଦ୍ୟାଳୟକୁ ଆସୁଛନ୍ତି ହେଲେ ଶୀଘ୍ର ବିଦ୍ୟାଳୟ ବନ୍ଦ କରି ଘରକୁ ପଳାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ସରକାର ପିଲାଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଯୋଗାଉଛନ୍ତି କିନ୍ତୁ ଏହିପରି କିଛି ଶିକ୍ଷକଙ୍କ ପାଇଁ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ର ଛାତ୍ରୀ ମାନେ । ମଧ୍ୟାହ୍ନ ଭୋଜନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥାଏ କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ଵାମୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରାୟ ସମୟରେ ଖାଉଥିବା ଭଳି ସଂଗିନ୍ ଅଭିଯୋଗ ଆଣି ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ଅଭିଭାବକ ।
ଫୁଲବାଣୀ ଠାରୁ ମାତ୍ର ସାତ କିଲୋମିଟର ଦୁରରେ ରହିଛି ନୁଆରୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ତଥାପି ମଧ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଠିକ୍ ସମୟରେ ବିଦ୍ୟାଳୟରେ ପହଞ୍ଚି ପାରୁନାହାନ୍ତି । ଏନେଇ ଆମେ ଫୁଲବାଣୀ ଗୋଷ୍ଠୀ ଶିକ୍ଷାଧିକାରଙ୍କ କାର୍ଯ୍ୟାଳୟକୁ ଯାଇ ବିଇଓଙ୍କ ମତାମତ ନେଇଥିଲୁ । ଏହିପରି ଘଟଣା ଆମ ଠାରୁ ଶୁଣିବା ପରେ ସିଆର୍ସି ଓ ଏବିଓଙ୍କୁ ବିଦ୍ୟାଳୟକୁ ପଠାଇ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି ଫୁଲବାଣୀ ଗୋଷ୍ଠୀ ଶିକ୍ଷାଧିକାରୀ ରଞ୍ଜନ କହଁର ।
ଠିକ୍ ଦଶଟା ସମୟରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦ୍ୟାଳୟ ମଧ୍ୟରେ ପହଚିଁବା ନିୟମ ରହିଛି କିନ୍ତୁ ଅନେକ ସମୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦଶଟା ସମୟରେ ଘରୁ ବାହାରୁଥିବା ଓ ରାସ୍ତାରେ ଯାଉଥିବା ଚିତ୍ର ଦେଖିବାକୁ ମିଳୁଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାର କଠୋର ନିୟମ ଆପଣାଇବାକୁ ଦାବି କରିଛନ୍ତି ଅଭିଭାବକ ।