ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ, ନିଲମ୍ବନ ସହ ଅଭିଯୁକ୍ତ ଶିକ୍ଷକ ଗିରଫ

ଯାଜପୁର : ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ସ୍କୁଲ୍ ଶିକ୍ଷକଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ବାପା ମା’ ପରେ ଗୁରୁ ହିଁ ପ୍ରତ୍ୟେକ ପିଲାର ମାର୍ଗ ଦର୍ଶକ ହୋଇଥାଏ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି ଗୁରୁ । ଅନେକ ଶିକ୍ଷା ଦିଅନ୍ତି ଆଉ ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ରଖିଥାଆନ୍ତିସେ ହେଉଛନ୍ତି ଗୁରୁ। ଆମ ସମାଜରେ ଗୁରୁ ଶିଷ୍ୟଙ୍କ ସମ୍ପର୍କ ଅତି ନିବିଡ଼। ଯାହା ପ୍ରାଚୀନ କାଳରୁ ରହି ଆସିଛି । କିନ୍ତୁ ଏହି ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଛି କଳଙ୍କ । ଯେତେବେଳେ ଗୁରୁ ଏମିତି କାଣ୍ଡ କରିବେ ସେତେବେଳେ କାହା ଉପରେ ଗୋଯିଏ ପିଲା ବିଶ୍ବାସ କରିବ । ପୁଣି ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ନେଇ ଅଭିଯୋଗ ଆସିଛି ।
ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନସ୍ଥ ରେଖିଦେଇପୁର ନୋଡାଲ ପଞ୍ଚାୟତ ହାଇସ୍କୁଲରେ ଜଣେ ୭ମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ସହକାରୀ ଶିକ୍ଷକ ଅସଦାଚରଣ ମାମଲାରେ ଅଭିଯୁକ୍ତ ଶିକ୍ଷକକୁ ପୋଲିସ ଗିରଫ କରିଛି । ପୋଲିସ ଭୁବନେଶ୍ୱରରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଧାରଣରେ ବସିଥିବା ଧାରଣାକାରୀ ଓହରିଛନ୍ତି। ଗିରଫ ଅଭିଯୁକ୍ତ ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ଅରୁଣ କୁମାର ମଲ୍ଲ ବୋଲି ଜଣାପଡିଛି । ଅଭିଯୋଗ ମୁତାବକ, ରେଖିଦେଇପୁର ନୋଡାଲ ପଞ୍ଚାୟତ ହାଇସ୍କୁଲରେ ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ସହକାରୀ ଶିକ୍ଷକ ଅରୁଣ କୁମାର ମଲ୍ଲ ଅସଦାଚରଣ କରିଥିଲେ । ନାବାଳିକା ଘରକୁ ଫେରି ଜଣାଇବା ପରେ ପରିବାର ପକ୍ଷରୁ ଜେନାପୁର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଏହାରି ମଧ୍ୟରେ ଘଟଣାକୁ ୧୫ଦିନ ବିତିଯାଇଥିବା ବେଳେ ପୁଲିସ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିନଥିଲା।
ଅନ୍ୟପଟେ ଶିକ୍ଷା ବିଭାଗ ପକ୍ଷରୁ ଅଭିଯୁକ୍ତ ଶିକ୍ଷକ ଶ୍ରୀ ମଲ୍ଲଙ୍କୁ ଅନ୍ୟତ୍ର ବିଦ୍ୟାଳୟକୁ ବଦଳି କରାଯାଇଥିବା ବେଳେ ସେ ସେଠାରେ ଯୋଗଦେଇ ନଥିଲେ। ଉଭୟ ଶିକ୍ଷା ବିଭାଗ ଓ ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ହୋଇ ପୀଡିତା ଛାତ୍ରୀଙ୍କ ପରିବାର ସହ ଗ୍ରାମବାସୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଗତକାଲି ସ୍କୁଲ ଆଗରେ ଧାରଣରେ ବସିଥିଲେ । ଅଭିଯୁକ୍ତ ଶିକ୍ଷକକୁ ବହିଷ୍କାର ଓ ଗିରଫ କରିବାକୁ ଧାରଣାକାରୀ ଦାବି କରିଥିଲେ। ଖବରପାଇ ଯାଜପୁର ରୋଡ଼ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଭବେଶ କୁମାର ମାଝୀ, ଜେନାପୁର ଥାନା ଅଧିକାରିଣୀ ନିରୁପମା ଜେନା ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ବୁଝାସୁଝା କରଥିଲେ। ମାତ୍ର ଧାରଣାକାରୀ ନିଜ ଜିଦରେ ଅଟଳ ରହିଥିଲେ। ପରେ ଜିଲ୍ଲା ଶିକ୍ଷାଧିକାରୀ ଅଭିଯୁକ୍ତ ଶିକ୍ଷକ ଶ୍ରୀ ମଲ୍ଲଙ୍କୁ ନିଲମ୍ବନ କରିଥିଲେ। ଏହା ପରେ ବି ଗ୍ରାମବାସୀ ଧାରଣରୁ ଓହରି ନଥିଲେ। ତେବେ ବହୁ ବୁଝାସୁଝା ପରେ ଧାରଣାକାରୀ ଧାରଣାରୁ ଓହରି ଥିବା ବେଳେ ପୋଲିସ ଅଭିଯୁକ୍ତ ଶିକ୍ଷକକୁ ଭୁବନେଶ୍ୱରରୁ ଗିରଫ କରିଥିବା ସୂଚନା ମିଳିଛି ।