ଅବସର ପରେ ଶିକ୍ଷକଙ୍କୁ ନିଆରା ଢଙ୍ଗରେ ସମ୍ବର୍ଦ୍ଧନା, ଏ ଦୃଶ୍ୟ ଥିଲା ବେଶ ନିଆରା

ଅବସର ପରେ ଶିକ୍ଷକଙ୍କୁ ନିଆରା ଢଙ୍ଗରେ ସମ୍ବର୍ଦ୍ଧନା । ବିଦ୍ୟାଳୟର ପୁରାତନ ଛାତ୍ର, ବର୍ତ୍ତମାନର ଛାତ୍ର ଓ ଗ୍ରାମବାସୀ ମାନଙ୍କର ଶିକ୍ଷକଙ୍କ ପ୍ରତି ଭଲ ପାଇବାର ଦେଇଛନ୍ତି ନିଛକ ଉଦାହରଣ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଦୀର୍ଘ ୧୬ ବର୍ଷ ଧରି ବିଦ୍ୟାଳୟରେ ଶିକ୍ଷକତା କରି ଅବସର ନେବା ପରେ ସମସ୍ତଙ୍କ ମନରେ ଥିଲା ଦୁଃଖ କିନ୍ତୁ ସମ୍ବର୍ଦ୍ଧନା ପାଇଁ ଗ୍ରାମବାସୀ ମାନେ କରିଥିଲେ ନିଆରା ପ୍ରୟାସ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଟୁଲୁଙ୍କବାହାଳୀ ପ୍ରାଥମିକ ବିଦ୍ୟାଳୟର ଏ ହେଉଛନ୍ତି ପ୍ରଧାନଶିକ୍ଷକ ଯତୀନ୍ଦ୍ରନାଥ ଦାସ ।
ସେ ଉକ୍ତ ବିଦ୍ୟାଳୟରେ ୧୬ ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ । ୨୦୨୪ ଜୁନ ୩୦ ତାରିଖରେ ତାଙ୍କର ଅବସର ହୋଇଥିଲା । ତେବେ ଅବସର ଦିନ ଉକ୍ତ ବିଦ୍ୟାଳୟରେ ସମସ୍ତଙ୍କ ମନରେ ଯେତିକି ଦୁଃଖ ଥିଲା ତାଠୁ ଅଧିକ ବିଦାୟୀ ପାଇଁ ଆୟୋଜନ ଶିକ୍ଷକଙ୍କୁ ଭଲ ପାଇବା ପ୍ରମାଣ କରିଥିଲା । ନାଚଗୀତ ସହ ପୂଜା ଅର୍ଚନା କରି ଏକ ସୁସଜିତ ଫୁଲ ଗାଡିରେ ଘର ପର୍ଯ୍ୟନ୍ତ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରା କରି ନେଇ ଯାଇଥିଲେ ।
ସତରେ ପ୍ରଧାନଶିକ୍ଷଜ ଯତୀନ୍ଦ୍ରନାଥ ଜଣେ ଆଦର୍ଶ ଶିକ୍ଷକ ହୋଇଥିବା ବେଳେ ଦୀର୍ଘ ୧୬ ବର୍ଷର ଭଲ ପାଇବା ଭୁଲି ପରି ନଥିଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ । ବିଦାୟ ସମ୍ବର୍ଦ୍ଧନା ଥିଲା ବେଶ ନିଆରା । ଯେମିତି ବର ଯାଉଛି ବାହା ହେବା ପାଇଁ । ଫୁଲ ମାଳ ସାଙ୍ଗକୁ ମୁଣ୍ଡରେ ଟୋପି ପିନ୍ଧାଇବା ସହ ଶଙ୍ଖ ହୁଳହୁଳିରେ ବର ସଜା ଗାଡିରେ ବିଦାୟ ଦେଇଥିଲେ ପ୍ରଧାନଶିକ୍ଷକଙ୍କୁ । ଏପରିକି ବିଦାୟ ସମୟରେ କାହା ଆଖିରେ ଲୁହ ତ ଆଉ କିଏ ହାତ ହଲାଇ ବିଦାୟ ଦେଇଥିଲେ ।
ଅବସର ପରେ ବି ପ୍ରଧାନଶିକ୍ଷକଙ୍କ ବିଦ୍ୟାଳୟ ପ୍ରତି ମମତା ତୁଟି ନାହିଁ । ଉକ୍ତ ବିଦ୍ୟାଳୟରେ ଏବେ ଜଣେ ଶିକ୍ଷକ ଥିବା ବେଳେ ଯତୀନ୍ଦ୍ରନାଥ ସମୟ ହେଲେ ପିଲା ମାନଙ୍କୁ କରୁଛନ୍ତି ଶିକ୍ଷାଦାନ । ଛାତ୍ରଛାତ୍ରୀ ମାନଙ୍କୁ ପାଖରେ ବସାଇ ଗୀତ ଗାଇବା ସହ ବିଭିନ୍ନ କୌଶଳରେ ଶିକ୍ଷାଦାନ କରୁଛନ୍ତି । ଏହି ପରିକି ବିଦ୍ୟାଳୟର ଆଗକୁ କିପରି ଉନ୍ନତି ହେବ ସେଥିପାଇଁ ଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ପ୍ରଧାନଶିକ୍ଷକ । ସତରେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ପ୍ରଧାନଶିକ୍ଷକଙ୍କ ଭଲ ପାଇବା ଅନ୍ୟ ମାନଙ୍କ ପାଇଁ ଉଦାହରଣ ।