ପୁଣି ଅନଲାଇନ୍ ଭରସା: ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଆରମ୍ଭ ହେବ ୟୁ ଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ୟୁ ଟ୍ୟୁବ ଭରସା । ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଆରମ୍ଭ ହେବ ୟୁ ଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ । ସୋମବାରଠୁ ଶୁକ୍ରବାର ନିୟମିତ ଭାବେ କ୍ଲାସ ଚାଲିବ। କୋଭିଡ ମହାମାରୀ ଯୋଗୁ ଛାତ୍ରଛାତ୍ରୀଙ୍କୁ କ୍ଲାସରୁମ ପାଠପଢ଼ା ବନ୍ଦ ରହିଛି । ଏଥିପାଇଁ ପୂର୍ବରୁ ଚାଲିଥିବା ୟୁଟ୍ୟୁବରେ କ୍ଲାସ ପୁଣି କ୍ରିୟାଶୀଳ ହେବାକୁ ଯାଉଛି ।
ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯେଉଁ କ୍ଲାସ୍ ସବୁ ନେଉଛନ୍ତି ପରବର୍ତ୍ତୀ ଅବସ୍ଥାରେ ପିଲାମାନେ ଯେପରି ଏହାର ଫାଇଦା ପାଇପାରିବେ ସେଥିପାଇଁ ଏହାକୁ ଅପଲୋଡ୍ କରାଯାଉଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି । ସେହିପରି ରେଡିଓ ପାଠଶାଳା, ଦୂରଦର୍ଶନ ମାଧ୍ୟମରେ ଶିକ୍ଷାଦାନକୁ ବି ଗୁରୁତ୍ୱ ଦିଆଯାଉଛି ।
ରାଜ୍ୟରେ କରୋନା ଆରମ୍ଭରୁ ପ୍ରାୟ ୨ବର୍ଷ ଧରି ବନ୍ଦ ରହିଛି ସ୍କୁଲ । କିଛି ମାସ ପାଇଁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏ ଖୋଲିଥିଲେ ମଧ୍ୟ ପ୍ରାଥମିକ, ନର୍ସରୀ ସ୍କୁଲ୍ ଆଦି ବିଲ୍କୁଲ ଖୋଲିନାହିଁ। ନିକଟରେ କୋଭିଡ କଟକଣାରେ ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଖୋଲିଲାଣି । ଏଭଳି ସ୍ଥିତିରେ ଓଡ଼ିଶାରେ ସ୍କୁଲ କେବେ ଖୋଲିବ ନେଇ ପ୍ରଶ୍ନ ଉଠିଛି।