ରୋଡ୍‌ ରୋମିଓଙ୍କୁ ଜବାବ୍‌ ଦେଉଛନ୍ତି’HER’ଟିମ୍‌: ମହିଳାଙ୍କୁ ଦେଉଛନ୍ତି ନ୍ୟାୟ, ଶିଖାଉଛନ୍ତି ଆତ୍ମରକ୍ଷା କୌଶଳ

ଭୁବନେଶ୍ୱର: ରୋଡ୍‌ ରୋମିଓଙ୍କୁ ଖୁବ୍‌ ଜବାବ୍‌ ଦେଉଛନ୍ତି HER ଟିମ୍‌ । ରାଜଧାନୀ ଭୁବନେଶ୍ୱରର ମହିଳା ଓ ଯୁବତୀ, ସ୍କୁଲ ଛାତ୍ରୀ, କର୍ମଜୀବୀ ମହିଳାଙ୍କ ଉପରେ ହେଉଥିବା ଅସଦାଚରଣ, ଯୌନ ଉତ୍ପୀଡ଼ନ ରୋକିବାରେ ବଡ଼ ଭୂମିକା ନେଇଛି ଏହି ଟିମ୍‌ । ଗତ ମାର୍ଚ୍ଚ ୨୦୨୪ରେ HER ଟିମ୍ ଗଠନ କରିଥିଲା କମିଶନରେଟ ପୋଲିସ୍ । ଏବେ ଏହି ଟିମ୍ ରୋଡ ରୋମିଓ ଓ ଅମାନିଆ ବିପଥଗାମୀ ଯୁବକଙ୍କ ଶିକାର ହେଉଥିବା ମହିଳାଙ୍କୁ ଦେଉଛି ନ୍ୟାୟ । ରୋଡ଼ ରୋମିଓ ବା ରସିକିଆଙ୍କୁ ଦେଉଛି ଶାସ୍ତି । ସଚେତନ କରିବା ସହ ମହିଳାଙ୍କୁ ଶିଖାଉଛନ୍ତି ଆତ୍ମ ରକ୍ଷା କୌଶଳ।

କୌଣସି ଯୁବତୀ ଓ ମହିଳାଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କଲେ ଆଉ ତ୍ରାହି ନାହିଁ। ଏଭଳି ମେସେଜ ଦେଇ କମିଶନରେଟ ପୋଲିସ ଆରମ୍ଭ କରିଥିଲା HER ବା High Efficiency Response ଟିମ୍‌ । କୌଣସି କର୍ମଜୀବୀ ମହିଳାଙ୍କୁ ଦୁର୍ବ୍ୟବହାର ବା ମହିଳାଙ୍କୁ ନିର୍ଯାତନା ଘଟଣାରେ ଆକ୍ସନ ନେଉଛି ‘ହର୍‌’ ଟିମ୍ । ଟିମ ର ନେତୃତ୍ୱ ନେଉଛନ୍ତି ଏସିପି ଅଞ୍ଜନା ଟୁଡୁ । ମୋଟ ୧୪ ଜଣ ମହିଳା ପୋଲିସ ଅଫିସର ହର୍‌ ଟିମ ର ସଦସ୍ୟ ରହିଛନ୍ତି ।

୬୩୭୨୫୦୦୪୦୦ (6372500400) ନମ୍ବରରେ କଲ୍ କରି ମହିଳା ତାଙ୍କ ସହ ଘଟିଥିବା ଅପରାଧ ସମ୍ପର୍କରେ ଜଣାଇ ପାରିବେ । ଯେଉଁମାନେ ଅସୁବିଧା ସମୟରେ ଏହି ନମ୍ବରକୁ କଲ କରିବେ ସେମାନଙ୍କ ନମ୍ବର ମଧ୍ୟ ଗୋପନ ରଖାଯିବ । ପିସିଆର ନମ୍ବର ୧୧୨କୁ କଲ କଲେ ମଧ୍ୟ ଏହି ନମ୍ବରକୁ ଡାଇଭର୍ଟ କରାଯାଉଛି। ଖଟି, ମାର୍କେଟ, ପାର୍କରେ ସାଦା ପୋଷାକରେ ପଇଁତରା ମାରୁଛନ୍ତି ଏହି ମହିଳା ସ୍କ୍ୱାର୍ଡ । କର୍ମକ୍ଷେତ୍ରରେ ମଧ୍ୟ ଯଦି କେହି ଯୌନ ନିର୍ଯତନାର ଶିକାର ହୁଅନ୍ତି ତେବେ ଏହି ନମ୍ବରରେ କଲ କଲେ ତୁରନ୍ତ ଆକ୍ସନ ନିଆଯିବ ବୋଲି କହିଛନ୍ତି ପୋଲିସ୍ କମିଶନର ।

ଗତ ବାହୁଡା ଯାତ୍ରା ବେଳେ ଇସ୍କନ ମନ୍ଦିର ନିକଟରେ ଜଣେ ମହିଳା ଭକ୍ତଙ୍କ ବେକରୁ ମଙ୍ଗଳସୂତ୍ର ଲୁଟିଥିଲେ ମହିଳା ଲୁଟେରା ।  ସିସିଟିଭି ଚେକିଂ ପରେ ମୁହଁରେ କଳା କପଡା ବାନ୍ଧି ମଙ୍ଗଳସୂତ୍ର ଲୁଟିଥିବା ଫତିମା ଖାତୁନକୁ କାବୁ କରିଥିଲା ଟିମ୍ । ଏହାପରେ ସନ୍ଦେହଜନକ ଭାବେ ବୁଲୁଥିବା ୬ଜଣ ମହିଳାଙ୍କୁ କାବୁ କରି ନୟାପଲ୍ଲୀ ଥାନା ପୋଲିସ୍ ହେପାଜତରେ ଦେଇଥିଲା ‘ହର୍’ ଟିମ୍ । ସେହିପରି ସୁନାବେଶ ଦିନ କୁମାର ସ୍ୱାମୀ ଓ ପ୍ରଶାନ୍ତ କୁମାର ଗୁମାନସିଂ ଭିଡ଼ ଭିତରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଖାଉଥିବା ଜାଣିବାକୁ ପାଇଥିଲା ଟିମ୍ । ପରେ ସେମାନଙ୍କୁ ଷ୍ଟେସନ ଡାଏରି କରି ଛାଡିଥିଲା ପୋଲିସ୍ । ଠିକ୍ ସେହିପରି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ କରିବା ନେଇ ଅଭିଯୋଗ ପାଇବା ପରେ ପୁରୀ ଜିଲ୍ଲା ଗୋପର ଅମଳେନ୍ଦୁ ରାଉତଙ୍କୁ କାବୁ କରିଥିଲା ‘ହର୍’ ଟିମ୍ ।

ଏଯାଏ ୨୫ଟି ମାମଲା ରୁଜୁ ହୋଇଛି । ରାଜଧାନୀର ବିଭିନ୍ନ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ବେସରକାରୀ, କର୍ପୋରେଟ ଅଫିସ, ସ୍କୁଲ, କଲେଜ କର୍ମଜୀବୀ ମହିଳାଙ୍କୁ ସଚେତନ କରୁଛନ୍ତି । ଏନେଇ ମହିଳା, ଯୁବତୀମାନ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିବା ସହ ଟିମ୍ HERକୁ ପ୍ରଶଂସା କରିଛନ୍ତି । we care we dare । ଏହି ସ୍ଲୋଗାନ ଦେଉଥିବା କମିଶନରେଟ ପୋଲିସ ରାଜଧାନୀ ବାସୀଙ୍କ ସୁରକ୍ଷା ପାଇଁ ସବୁବେଳେ ସଜାଗ ଥିବା କହିଛନ୍ତି ପୋଲିସ୍ କମିଶନର।