ଭୁବନେଶ୍ବର: ଏ ଦୃଶ୍ୟ ହେଉଛି ଭୁବନେଶ୍ବର ଏକ ନମ୍ବର ହାଟର । ଆଉ ବାତ୍ୟା “ଦାନା”କୁ ନେଇ ଲୋକଙ୍କ ଭିତରେ ଉପୁଜିଥିବା ଆଶଙ୍କା ବେଳର । ବାତ୍ୟା ଦାନା ଖବର ସେତେବେଳେ ଯେତିକି ଜୋର ଧରୁଥାଏ ଲୋକଙ୍କ ଭିତରେ ସେତିକି ଭୟ ଉପୁଜୁଥାଏ । ତେଣୁ ପୂର୍ବ ପ୍ରସ୍ତୁତିରେ ଲାଗି ପଡ଼ିଥାନ୍ତି ଲୋକେ । ଅଧିକରୁ ଅଧିକ ପରିବାପତ୍ର ଓ ସଉଦା ଠୁ ଆରମ୍ଭ କରି ଅନ୍ୟ ଅତ୍ୟାବଶ୍ୟକ ଜିନିଷପତ୍ର ସବୁ କିଣି ନେଉଥାନ୍ତି । ତେବେ ତା ଭିତରେ ଆଉ ଏକ ସଂକଟ ବଡ଼ ଆକାରରେ ଆସିବାର ଥିଲା । କାରଣ ବିଦ୍ୟୁତ ବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଥିଲା ଯେ ଅଧିକ ବେଗରେ ପବନ କିମ୍ବା ବର୍ଷା ହେଲେ ଲାଇନ୍ କାଟି ଦିଆଯିବ । ଏଇ ଚିନ୍ତା ବି ସମସ୍ତଙ୍କୁ ଘାରିଥିଲା । ସେଥିଲାଗି ବଢୁଥିଲା ଲୋକଙ୍କ ତତ୍ପରତା l ଆଉ ହାଟରେ ଲାଗିଥିଲା ଖୁବ୍ ଗହଳି । ଯିଏ ଯାହାର ଜିନିଷ କିଣିବାରେ ବ୍ୟସ୍ତ ଥାଆନ୍ତି l ଆମ ନଜର ପଡିଲା ଗୋଟିଏ ଦୋକାନ ଉପରେ l
କେତେ ଜଣ ଲୋକ ଭିଡ଼ ଜମେଇ ଥାଆନ୍ତି ସେହି ଦୋକାନ ନିକଟରେ l ଦୋକାନୀ ଜଣଙ୍କୁ ଘେରି ରହିଥାନ୍ତି ମହୁମାଛି ଭଳି l ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି କଣ ପାଇଁ ଦୋକାନୀଙ୍କୁ ଘେରି ରହିଛନ୍ତି ଲୋକେ ? ଏଠାରେ ସେମିତି କଣ ହେଉଛି କି ? ସ୍ୱତନ୍ତ୍ର କିଛି ବାତ୍ୟା ପାଇଁ ବ୍ୟବସ୍ଥା ରହିଛି କି ଭାବି ସେଠାରେ ପହଂଚିଲୁ l ତେବେ ଜଣା ଗଲା କି ଦୋକାନୀ ଜଣଙ୍କ ପୁରୁଣା ଲାଇଟ୍ ସବୁ ଠିକ କରୁଛନ୍ତି l କେଉଁଥିରେ ବ୍ୟାଟେରୀ ପଡୁଛି ତ କାହାର ଲାଇଟରେ ବଲ ଲାଗୁଥିଲା । ପୁଣି କାହାର କଣ ଅସଜଡ଼ା ହୋଇ ରହିଥିବା ଏମରେଜନସି ଲାଇଟ୍ ସବୁ ସଜାଡ଼ି ଦେଇ ଦେଉଥାନ୍ତି l କାହାକୁ ଦଶ କାହାକୁ ପଚାଶ କହୁଥାନ୍ତି l …
ବାତ୍ୟା ଆସିଲେ ପବନ ବତାସ ରେ ଚାରିଆଡେ ଲାଇନ କଟିବା କଥାଟି ସମସ୍ତଙ୍କ ମନରେ ବସା ବାନ୍ଧିଥାଏ l ତେଣୁ ଲାଗୁଥିଲା ସମସ୍ତେ ସେଥିପାଇଁ ବୋଧେ ଲାଇଟ ଠିକ କରିବାକୁ ମେକାନିକ ଜଣଙ୍କ ପାଖରେ ଭିଡ଼ ଲଗେଇଛନ୍ତି l ସେତିକି ବେଳେ ଜଣେ ଵୟୋଜ୍ୟଷ୍ଠ ବ୍ୟକ୍ତି ଗୋଟିଏ ପୁରୁଣା ଇଣ୍ଡକ୍ସନ ଚୁଲା ଆଣି ସଜାଡ଼ିବାକୁ ସେହି ମେକାନିକ ଜଣଙ୍କୁ ଦେଲେ l ତାଙ୍କ ପୂର୍ବରୁ ଆଉ ଜଣେ କିଛି ବଲ୍ ତାପରେ ଜଣେ ମଶା ମରା ବ୍ୟାଟ ଆଣି ମରାମତି କରାଇଲେ । ଏମିତି ଲୋକ ଆସୁଥାନ୍ତି ଆଉ ମେକାନିକ ଜଣକ ସେମାନଙ୍କ କାମ କରି ଫେରାଇ ଦେଉଥାନ୍ତି । ହାତକୁ ତାଙ୍କର ଫୁରୁସତ ନଥାଏ ।
ଏହି ସମୟରେ ଜଣେ ଯୁବକ ଗୋଟିଏ ରେଡ଼ିଓ ଆଣି କହିଲେ ଭାଇ ଟିକେ ଏଇଟା ଠିକ କରି ଦିଅନ୍ତୁ l ବାତ୍ୟାରେ ଲାଇନ କଟିଗଲେ ରେଡ଼ିଓଟି ସାହାରା ହେବ ଖବର ଟିକେ ଜାଣିବା ପାଇଁ l … ଅଳ୍ପ ସମୟରେ ମେକାନିକ ଜଣଙ୍କ ରେଡ଼ିଓଟିକୁ ଠିକ କରି ତାଙ୍କୁ ଫେରାଇ ଦେଲେ l ସତରେ ଏହି ରେଡ଼ିଓ ଯେ କେତେ ଦଶନ୍ଧି ଧରି ଆମକୁ ସେବା ଯୋଗାଇ ଆସିଛି ତାହା ବର୍ଣ୍ଣନା କରିହେବ ନାହିଁ ।… ତେବେ ସେହିଭଳି ଏ ମେକାନିକ ଜଣକ ନିରନ୍ତର ଭାବେ କେଉଁ କାଳରୁ ଏମିତି ପୁରୁଣା ଜିନିଷ ସବୁ ସଜାଡ଼ି ଆସୁଛନ୍ତି । ଏଇ ମେକାନିକ ଜଣଙ୍କ ନାଁ ହେଉଛି ପ୍ରଫୁଲ କୁମାର ସେଠି l ଘର ଭୁବନେଶ୍ୱର ଉପକଣ୍ଠ ଧଉଳୀ ପାଖ ଗାଁରେ l ନାଁଟି ଯେମିତି କାମ ମଧ୍ୟ ସେମିତି ଭାରି ପ୍ରଫୁଲ୍ଲ, କଥା ବାର୍ତ୍ତା ମଧ୍ୟ ପ୍ରଫୁଲ୍ଲ l
ଆଜକୁ ଦୀର୍ଘ କୋଡିଏ ପଚିଶି ବର୍ଷ ତଳେ ଏକ ନମ୍ବର ହାଟରେ ପାଦ ଥାପି ଥିଲେ ପ୍ରଫୁଲ୍ଲ l ଆଉ ନିଜର ଭଲ କାରିଗରୀ ପାଇଁ ବେଶ ଲୋକପ୍ରିୟ ହୋଇଗଲେ । ପ୍ରଫୁଲ୍ଲ ଭାଇ କହିଲେ ଏକନମ୍ବର ହାଟରେ ସମସ୍ତେ ଜାଣନ୍ତି l ଯାହାର ଘରେ ବଲ ହେଉ କି ଫ୍ୟାନ ଅବା କିଛି ବି ଇଲେକଟ୍ରି ଜିନିଷ ଖରାପ ହୋଇଯାଏ ତାହା ହେଲେ ସିଏ ସିଧା ଦୌଡ଼ି ଆସନ୍ତି ପ୍ରଫୁଲ୍ଲ ଭାଇ ମେକାନିକ ପାଖକୁ l ସେମିତି ଅନେକ ପୁରୁଣା ଜିନିଷ ବସବୁ ଦୋକାନ ଭିତରେ ଥାକ ମରା ହୋଇ ରହିଛି ମରାମତି ଅପେକ୍ଷାରେ । ଲୋକେ ତାଙ୍କ ପାଖକୁ ଆସିବାକୁ କାହିଁକି ଭଲ ପାଆନ୍ତି ପଚାରିବାରୁ ପ୍ରଫୁଲ୍ଲ ଭାଇ କୁହନ୍ତି ।…
ତେବେ ପ୍ରକୃତ କଥା ହେଉଛି ସବୁ ପ୍ରକାର ବିଦ୍ୟୁତ ଉପକରଣ ସଜାଡ଼ିବାରେ ମାହିର ହେଉଛନ୍ତି ପ୍ରଫୁଲ୍ଲ ଭାଇ l ଖାଲି ସେତିକି ନୁହେଁ ମାତ୍ର ଦଶ ଟଙ୍କା କି କୋଡିଏ ଅବା ଶହେ ଟଙ୍କା ଭିତରେ ସଜାଡ଼ି ଦିଅନ୍ତି । ଗ୍ରାହକଙ୍କୁ ବେଶି ଖର୍ଚ୍ଚାନ୍ତ କରନ୍ତି ନାହିଁ । ଅର୍ଥାତ୍ ଶାସ୍ତାରେ ଭଲ ମରାମତି କାମ ମିଳିଯାଏ ପ୍ରଫୁଲ୍ଲଙ୍କ ଠାରୁ ।