ମାଓ ଗଡ ମାଲକାନଗିରିରେ ମୋବାଇଲ ସେବା, ଉପକୃତ ହେବେ ତିରିଶ ହଜାରରୁ ଉର୍ଦ୍ଧ୍ବ ଲୋକେ
ମାଲକାନଗିରି : ବଦଳୁଛି ଓଡିଶାର ରୂପ । ବଦଳୁଛି ପଛୁଆ ଜିଲ୍ଳାର ଚାଲିଚଳନ। ମାଲକାନଗିରି ଜିଲ୍ଲାର ମାଓ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳବାସୀ ଦେଖିଛନ୍ତି ନୂଆ ସକାଳ। ଏଠାରେ ଦୀର୍ଘ ଦିନର ଅପେକ୍ଷା ପରେ ଆରମ୍ଭ ହେଲା ଏୟାରଟେଲ୍ ଟେଲିଫୋନ ଯୋଗାଯୋଗ ସେବା। ପୋଲିସର କଡା ସୁରକ୍ଷା ଯୋଗୁଁ ଦିର୍ଘ ଦଶନ୍ଧି ପରେ ସ୍ୱାଭିମାନ ଅଞ୍ଚଳ ର ଲୋକଙ୍କ ସ୍ୱପ୍ନ ସାକାର ହେଲା। ହାନ୍ତାଳଗୁଡା, ପିପଲପଦର,ଯନ୍ତାପାଇ ଏବଂ ଦାରଲାବେଡାରେ ଲାଗିଲା ଏୟାରଟେଲ୍ ଟାୱାର। ଯେଉଁଥିରେ ଉପକୃତ ହେବେ ତିରିଶ ହଜାରରୁ ଉର୍ଦ୍ଧ୍ବ ଲୋକେ।
ମାଓବାଦୀଙ୍କ ନାଲି ଆଖି ଯୋଗୁଁ ମୋବାଇଲ ଯୋଗାଯୋଗ ପାଇଁ ଲୋକଙ୍କୁ କୌଣସି ସୁବିଧା ମିଳୁ ନଥିଲା। ବିଭିନ୍ନ ସ୍ଥାନରେ ଏନେଇ ମାଓବାଦୀ ଫତୱା ଜାରି କରିଥିବା ନଜିର ରହିଛି। କିନ୍ତୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା, ପୋଲିସ ର ସୁରକ୍ଷା ଯୋଗୁଁ ଆଜି ସ୍ୱାଭିମାନ ଅଞ୍ଚଳବାସୀ ଦେଖିଲେ ଆଉ ଏକ ନୂଆ ସକାଳ। ପୂର୍ବରୁ ରାଜ୍ୟ ସରକାର ଗୁରୁପ୍ରିୟା ସେତୁ ନିର୍ମାଣ ପରେ ରାସ୍ତା କାମକୁ ଜୋରଦାର କରି ସ୍ୱାଭିମାନ ଅଞ୍ଚଳ ଲୋକଙ୍କ ପାଇଁ ଯୋଗାଯୋଗର ସୁବିଧା କରିପାରିଥିଲେ। ଆଉ ଏବେ ଟେଲିକମ୍ ର ସୁବିଧା କରି ଆଉ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି।