ଆଗାମୀ ୪ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି, ୪୦ ଡିଗ୍ରି ପାର୍‌ ହେଲା ୧୧ଟି ସହରର ତାପମାତ୍ରା

ଭୁବନେଶ୍ବର: ପୁଣିଥରେ ଉପରମୁହାଁ ହୋଇଛି ଦିନର ତାପମାତ୍ରା ।   ପଶ୍ଚିମ ଓଡ଼ିଶା ତତଲା ତାୱାରେ ଭାଜି ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ବି ବଢ଼ିଛି ତାତି ।   ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର୍‌ ହୋଇଛି ।  ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ ହୋଇଛି ।

ତେବେ ଗତକାଲି ୧୧ଟି ସହରର ପାରଦ ୪୦ ଡିଗ୍ରୀ ଟପିଥିଲା ।  ୪୩.୫ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ବଲାଙ୍ଗୀରର ତାପମାତ୍ରା ଥିଲା ୪୨.୪ ଡିଗ୍ରୀ । ଉଭୟ ଭୁବନେଶ୍ବର ଓ କଟକର ତାପମାତ୍ରା ୩୭ ଡିଗ୍ରୀ ଟପିଥିଲା ।

ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୪ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିବ ।  ଏପରିକି ଦିନର ସର୍ବୋଚ୍ଚ ତାପମାତ୍ରାରେ ମଧ୍ୟ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।  ସେହିପରି ଆଜି କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ ।  ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ସମ୍ଭାବନା ରହିଛି ।

Also read: ରାସ୍ତା ମଝିରେ ଠିଆ ହୋଇଛି ବିଦ୍ୟୁତ ଖୁଣ୍ଟ, ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଗାଁ ଲୋକେ