ତତଲା ତାୱାରେ ସିଝୁଛି ଓଡ଼ିଶା, ଆଜି ୮ ଜିଲ୍ଲାକୁ ହିଟୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ତତଲା ତାୱାରେ ସିଝୁଛି ଓଡ଼ିଶା । କେଉଁଠି ତାତି ତ ଆଉ କେଉଁଠି ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଇଛି । ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରରେ ଆକାଶରୁ ନିଆଁ ବର୍ଷା ହେଉଛି । ପୁଣି ହଟସ୍ପଟ୍ ପାଲଟିଲା ଝାରସୁଗୁଡ଼ା । ଗତ ୨୪ ଘଣ୍ଟାରେ ସର୍ବାଧିକ ୪୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁରରେ ୪୩ ଡିଗ୍ରୀ, ହୀରାକୁଦ ୪୨.୪ ଡିଗ୍ରୀ ଏବଂ ରାଉରକେଲାରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୪୦ ଡିଗ୍ରୀ ଉପରେ ରାଜ୍ୟର ୪ ସହର ପାରଦ । କାଳବୈଶାଖୀ ପ୍ରଭାବ ହ୍ରାସ ପାଇବା ପରେ ରାଜ୍ୟକୁ ପୁଣି ଫେରିଛି ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ପାରଦ ଉପର ମୁହାଁ ରହିଛି । ଉପକୂଳ ଓଡ଼ିଶାରେ ୬୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରେକର୍ଡ କରାଯାଇଛି । ଆଜି ହିଟୱେଭ୍ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ଗରମ ଓ ଆଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୩ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ରହିବ । ୨୨ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୬ ଡିଗ୍ରି ଛୁଇଁବାର ସମ୍ଭାବନା ରହିଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ସମ୍ବଲପୁର, ରାଉରକେଲା ଓ ନୂଆପଡ଼ା ତାପମାତ୍ରା ୪୩ ଡିଗ୍ରି ଉପରେ ରହିପାରେ । ୨୩ ଓ ୨୪ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୭ ଡିଗ୍ରି ମୁହାଁ ହେବ । ବଲାଙ୍ଗୀର ଓ ବୌଦ୍ଧରେ ୪୫ ଡିଗ୍ରି ଡେଇଁବାକୁ ଥିବା ବେଳେ ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା, ଟିଟିଲାଗଡ଼, ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଉପରେ ରହିବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆହୁରି ପଢନ୍ତୁ : ରାଜ୍ୟରେ ତାପମାତ୍ରା ୪୫. °C ଟପିଲା, ଝାରସୁଗୁଡାରେ ସର୍ବାଧିକ ୪୫.୪ °C ରେକର୍ଡ଼