ମାଗଣାରେ ଗରିବ ଘରର ପିଲାମାନଙ୍କୁ ବ୍ରତ କରୁଛନ୍ତି ପାପକ୍ଷୟ ମନ୍ଦିର କମିଟି ସଦସ୍ୟ

ସୁବର୍ଣ୍ଣପୁର: ମନ୍ତ୍ର ଧ୍ୱନିରେ ଗୁଞ୍ଜରି ଉଠୁଛି ପୂରା ପରିବେଶ । ଆଧ୍ୟାତ୍ମିକତାର ମହକ । ହୋମ ସାଙ୍ଗକୁ ଚାଲିଛି ପୂଜା ପାଠ । ଜଣେ କି ଦୁଇ ଜଣ ନୁହେଁ, ଏକା ସାଙ୍ଗରେ ୧୫ ଜଣ ବ୍ରହ୍ମଚାରୀ ଯଜ୍ଞ ଉପବିତ ଧାରଣ କରୁଛନ୍ତି । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ପବିତ୍ର ମହାନଦୀ ଚିତ୍ରୋତ୍ପଳା କୂଳ ପାପକ୍ଷୟ ପୀଠର । ଗରିବ ବ୍ରାହ୍ମଣ ବାଳକମାନଙ୍କୁ ବ୍ରତ କରାଯାଉଛି । ଉତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୫ଟି ପରିବାର ସାମିଲ ହୋଇଛନ୍ତି ଏହି ଉତ୍ସବରେ । ଦ୍ଵିତୀୟ ବର୍ଷ ପାଇଁ ମନ୍ଦିର କମିଟି ପକ୍ଷରୁ ସାମୂହିକ ବ୍ରତୋପନୟନ କରାଯାଉଛି ।
ବ୍ରାହ୍ମଣ ଘରେ ବ୍ରତୋପନୟନ ଏକ ଅତି ଗୁରୁତ୍ବପୂର୍ଣ୍ଣ ପରମ୍ପରା । ଯାହାକୁ ପାଳନ କରିବା ସମସ୍ତଙ୍କ ପକ୍ଷେ ସହଜ ହୁଏ ନାହିଁ । ତେଣୁ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଗରିବ ବ୍ରାହ୍ମଣ ବାଳକଙ୍କୁ ବ୍ରତ କରିବା ପାଇଁ ବ୍ୟବସ୍ଥା କରାଯାଇ ଥିଲା । ଏଥିଲାଗି ଆବଶ୍ୟକ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଥିଲା କମିଟି ତରଫରୁ । ମନ୍ଦିର ପକ୍ଷରୁ ପୁରୋହିତଙ୍କ ଠାରୁ ଆରମ୍ଭ କରି ଯଜ୍ଞର ସମସ୍ତ ସାମଗ୍ରୀ, ଶ୍ରୀଅନ୍ନ ଯଜ୍ଞ, ଅଷ୍ଟ ପ୍ରହରୀ ନାମ ଯଜ୍ଞ ଆଦିର ଆୟୋଜନ କରାଯାଇଥିଲା । ବ୍ରତୋପନୟନରେ ସାମିଲ ହୋଇଥିବା ଗରିବ ବ୍ରାହ୍ମଣ ପରିବାରର ସମସ୍ତ ଖର୍ଚ୍ଚ ମଧ୍ୟ ମନ୍ଦିର କମିଟି ବହନ କରିଛି । ଗତବର୍ଷ ଏହି ପାପ କ୍ଷୟ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ୨୧ ଜଣ ବ୍ରାହ୍ମଣ ବାଳକଙ୍କର ସାମୂହିକ ବ୍ରତୋପନୟନ କରାଯାଇ ଥିଲା ।
ଅର୍ଥ ପାଇଁ ବ୍ରତ ହୋଇ ପାରୁ ନଥିବା ଅସହାୟ ବ୍ରାହ୍ମଣ ପରିବାର ପାଇଁ ବରଦାନ ସାଜିଛି ପାପ କ୍ଷୟ ଜଗନ୍ନାଥ ମନ୍ଦିର କମିଟି । ଆଉ କମିଟି ସଦସ୍ୟମାନଙ୍କୁ ପ୍ରଶଂସା କରିବା ସହ ଆଶୀର୍ବାଦ କରୁଛନ୍ତି ଗରିବ ବ୍ରାହ୍ମଣ ପରିବାର ଲୋକେ ।
Also Read:ନଡିଆ ସଢ଼େଇରେ କ୍ରାନ୍ତିକାରୀ ସହିଦ୍ ମାନଙ୍କର ପ୍ରତିଛବି କରି ଚର୍ଚ୍ଚାରେ ବିଜୟ