ଫେବ୍ରୁଆରୀ ଆରମ୍ଭରୁ ୩୬ ଟପିଲା, ଅସମ୍ଭାଳ ହେଉଛି ତାତି

 ଭୁବନେଶ୍ୱର : ଫେବ୍ରୁଆରୀ ଆରମ୍ଭରୁ ପାରଦ ଉପରମୁହାଁ। ସକାଳ ୧୦ଟାରୁ ଅସମ୍ଭାଳ ହେଉଛି ତାତି ।  ପ୍ରଥମ ସପ୍ତାହରୁ ୩୬ ଡିଗ୍ରୀ ପାର କଲା ପାରଦ। ଗତକାଲି ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀରେ ମଧ୍ୟ ବଢ଼ିଛି ପାରଦ। ଭୁବନେଶ୍ବରରେ ୩୪.୯ ଡିଗ୍ରୀ ଏବଂ କଟକରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ଦୁଇ ସପ୍ତାହରେ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ବଡିବ। ତାପମାତ୍ରା ବୃଦ୍ଧି ସହ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରିଛି । ରବିବାର ବଲାଙ୍ଗିରରେ  ତାତି ୩୬.୭ ଡିଗ୍ରୀ ସେଲସିୟସ୍‌  ରେକର୍ଡ ହୋଇଛି । ଟିଟିଲାଗଡ଼ରେ  ୩୬, ପାରଳାଖେମୁଣ୍ଡିରେ  ୩୫.୮, ଝାରସୁଗୁଡ଼ାରେ  ୩୫.୬, ସମ୍ବଲପୁରରେ ୩୫.୧  ଓ ଭବାନୀପାଟଣାରେ ୩୫ ଡିଗ୍ରୀ  ରେକର୍ଡ ହୋଇଛି ।

ଶନିବାର  ଭୁବନେଶ୍ୱରରେ ତାତି ୩୩.୬  ଡିଗ୍ରୀ ଥିଲା । ଆଜି ଏହା ୩୪.୯  ଡିଗ୍ରୀକୁ ବଢ଼ିଛି । ସୋଆ ଜଳବାୟୁ  ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ  ଡ. ଶରତ ସାହୁ ଆକଳନ କରି  କହିଛନ୍ତି, ତାପମାତ୍ରା ଅଧିକ  ରହିବା ଯୋଗୁ ଦିନରେ ଗରମ ଅନୁଭୂତ ହେବ । ରାତିରେ  ପାଣିପାଗ ସ୍ଥିତି ଆରାମଦାୟକ  ରହିବ । ଦିନ ତାପମାତ୍ରା ବଢ଼ିବା, କମିବା ଜାରି ରହିବ ।  ୫ ତାରିଖରେ ତାତି ଅଧିକ ହେବ । ୬ ତାରିଖରୁ  ତାତି ସାମାନ୍ୟ କମିବ ।

Also read: ମାଘରେ ୩୪ ଟପିଲା ଭୁବନେଶ୍ୱର ତାପମାତ୍ରା, ଆଗକୁ ହୋଇପାରେ ଅସମ୍ଭାଳ