କିଟ୍ରେ ଖୋଲିଲା ଟେନିସ୍ ଏକାଡେମୀ, ଉଦଘାଟନ କଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ସାଂସଦ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର(କେନ୍ୟୁଜ୍): କିଟ୍ ବିଶ୍ୱବିଦ୍ୟାଳୟରେ ର୍ଜମାନୀର ପୂର୍ବତନ ଗ୍ରାଣ୍ଡ ସ୍ଲାମ୍ ଟେନିସ୍ ଖେଳାଳି ତଥା ଆଲେକ୍ଜାଣ୍ଡାର ୱାସକେ ଟେନିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଆଲେକ୍ଜାଣ୍ଡାର ୱାସକେ ଏବଂ ଅହମ୍ଦାବାଦ୍ସ୍ଥିତ ଅଲ୍ଟେଭୋଲ୍ ଟେନିସ୍ ଏକାଡେମୀ ସହଯୋଗରେ କିଟ୍-ଆଲେକ୍ଜାଣ୍ଡର-ଟେନିସ୍ ଏକାଡେମୀ ବୁଧବାର ଉଦ୍ଘାଟିତ ହୋଇଛି । କିଟ୍ ଟେନିସ୍ କୋଟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା, କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନସଚିବ ଭିନିଲ୍ କ୍ରିଷ୍ନା, ଆଲେକ୍ଜାଣ୍ଡର ୱାସକେ, ଅଲ୍ଟେଭୋଲ୍ ଟେନିସ୍ ଏକାଡେମୀର ପ୍ରତିଷ୍ଠାତା ଚିରାଗ ପଟେଲ୍ ଏବଂ ଅଲ୍ଟେଭୋଲ୍ ଟେନିସ୍ ଏକାଡେମୀର ନିର୍ଦ୍ଦେଶକ ଶ୍ରୀମଲ୍ ଭଟ୍ଟଙ୍କ ଉପସ୍ଥିତିରେ ଏହି ଏକାଡେମୀର ଉଦ୍ଘାଟନ କରିଥିଲେ ।
ଏହି ଚେସ ଏକାଡେମୀ ପ୍ରତିଷ୍ଠାରେ ସହଯୋଗ କରିଥିବାରୁ ଆଲେକ୍ଜାଣ୍ଡାର ୱାସକେ ଏବଂ ଅଲ୍ଟେଭୋଲ୍ ଟେନିସ୍ ଏକାଡେମୀର ପ୍ରତିଷ୍ଠାତାଙ୍କୁ ଡ. ସାମନ୍ତ ଧନ୍ୟବାଦ ଜଣାଇଥିଲେ । ପରେ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ୱାସକେ କହିଲେ, ଓଡ଼ିଶା ସମେତ ଭାରତରେ ବହୁ ପ୍ରତିଭାବାନ୍ ଖେଳାଳି ଅଛନ୍ତି । ଏହି ଏକାଡେମୀ ଓଡ଼ିଶାରେ ଟେନିସ୍ ଖେଳର ପ୍ରସାର କ୍ଷେତ୍ରରେ ସହାୟକ ହେବା ସହ ଆଗାମୀ ଦିନର ଗ୍ରାଣ୍ଡ ସ୍ଲାମ୍ ଖେଳାଳି ସୃଷ୍ଟି କରିବାରେ ସହାୟକ ହେବ ବୋଲି କହିଥିଲେ । କିଟ୍ ଆଲେକଜାଣ୍ଡର ୱାସ୍କେ-ଆଲଟେଭୋଲ୍ ଟେନିସ୍ ଏକାଡେମୀ ସହ ମିଳିତ ଭାବେ ଏହି ଏକାଡେମୀରେ ଟେନିସ୍ ଖେଳ ପ୍ରତି ଆଗ୍ରହ ଥିବା ପିଲାଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏଥିରେ କିଟ୍ ଓ କିସ୍ ସମେତ ଅନ୍ୟ ପିଲାମାନେ ମଧ୍ୟ ଟେନିସ୍ ପ୍ରଶିକ୍ଷଣ ନିମନ୍ତେ ଆବେଦନ କରି ନାମ ଲୋଖାଇପାରିବେ ବୋଲି କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦଶ ସୂଚନା ଦେଇଥିଲେ ।
କିଟ୍ରେ ରାଜ୍ୟ ତଥା ଦେଶ ବିଦେଶର ପିଲାମାନେ ପଢ଼ୁଥିବାରୁ ସେମାନଙ୍କ ପାଇଁ ଏହି ଏକାଡେମୀ ବିଶେଷ ସହାୟକ ହେବ । ପ୍ରଥମ ପର୍ଯ୍ୟାୟରେ ଟେନିସ୍ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରର ଟେନିସ୍ ଖେଳାଳିଙ୍କ ପାଇଁ ତାଲିମ୍ ବ୍ୟବସ୍ଥା ରହିଥିôବା ବେଳେ ତୃତୀୟ ପର୍ଯ୍ୟାୟରେ ଟେନିସ୍ ଖେଳାଳିଙ୍କୁ ହାଇ ପରଫର୍ମାନ୍ସ ତାଲିମ୍ ପ୍ରଦାନ କରାଯାଇ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରାଯିବ । ଏଠାରେ ତାଲିମ ପାଇଁ ଅନ୍ତର୍ଜାତୀୟସ୍ତରର ୧୫ଜଣ କୋଚ ରହିବା ସହ ଫିଜିଓ ବ୍ୟବସ୍ଥା ରହିବ ।
ଏହା ବ୍ୟତୀତ ସମୟକୁ ସମୟ ୱାସକେ ମଧ୍ୟ ଓଡ଼ିଶା ଆସି ତାଲିମ ପ୍ରଦାନ କରିବା ସହ ଭର୍ଚୁଆଲ୍ରେ ତାଲିମ୍ ପ୍ରଦାନ କରିବେ । ଆଗାମୀ ଦିନରେ କିଟ୍ ଏବଂ କିସ୍ରୁ ଅନ୍ତର୍ଜାତୀୟ ଟେନିସ୍ ଖେଳାଳି ବାହାରିବେ ବୋଲି ଡ. ଦାସ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଲଟେଭୋଲ୍ ଟେନିସ୍ ଏକାଡେମୀ ପ୍ରତିଷ୍ଠାତା ଚିରାଗ୍ ପଟେଲ, ଆଲଟେଭୋଲ୍ ଟେନିସ୍ ଏକାଡେମୀ ନିର୍ଦେଶକ ଶ୍ରୀମୟ ଭଟ୍ଟ ଏବଂ ପ୍ରକାଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉଦ୍ଘାଟନୀ ଅବସରରେ କିଟ୍ ଟେନିସ୍ ଗ୍ରାଉଣ୍ଡରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ କିଟ୍ ଓ କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଏବଂ ଉପସ୍ଥିତ ଅନ୍ୟନ୍ୟ ଅତିଥିମାନେ ଟେନିସ୍ ଖେଳିଥିଲେ ।