ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଭଦ୍ରକ ମେଡିକାଲରେ ତୀବ୍ର ଉତ୍ତେଜନା

ଭଦ୍ରକ : ଟଙ୍କା ମାଗିଲେ । ବ୍ଲଡ୍‌ ପାଇଁ ପଠାଇ ମୋ ଭାଉଜକୁ ମାରିଦେଲେ ଏଇ ଡାକ୍ତରମାନେ । ଏପରି ଚିତ୍କାର କରି କହୁଛନ୍ତି ଏ ମହିଳା ଜଣଙ୍କ । ମେଡିକାଲରେ ଭଙ୍ଗା ରୁଜା ସାଙ୍ଗକୁ ଦେଖାଦେଇଛି ଉତ୍ତେଜନା ।

ମହିଳାଙ୍କ ମୃତ୍ୟୁକୁ ନେଇ ଭଦ୍ରକ ମେଡିକାଲରେ ଭଙ୍ଗାରୁଜା ଓ ତୀବ୍ର ଉତ୍ତେଜନା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବାଣୀତିଆ ଗ୍ରାମର ବୈରାଗୀ ଦାସଙ୍କ ସ୍ତ୍ରୀ ରଞ୍ଜିତା ଦାସଙ୍କ ପ୍ରସୂତି ଯନ୍ତ୍ରଣା ହେବାରୁ ତାଙ୍କୁ ଗତ ମଙ୍ଗଳବାର ଦିନ ଭଦ୍ରକ ଆରଡ଼ି ଛକ ସ୍ଥିତ MCH ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ନର୍ମାଲ ଡେ଼ଲିଭରୀ କରିବେ ବୋଲି ବୈରାଗୀଙ୍କୁ କହିଥିଲେ । କିନ୍ତୁ ଆଜି ମହିଳାଙ୍କର ଡେ଼ଲିଭରୀ ପରେ ଏକ ଶିଶୁକନ୍ୟା ଜନ୍ମ ହେବାର କିଛି ସମୟ ମଧ୍ୟରେ ମହିଳାଙ୍କର ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ମହିଳାଙ୍କ ଅବସ୍ଥା ଜାଣି ତାଙ୍କ ସ୍ୱାମୀ ଭିତରକୁ ଯିବାକୁ ଉଦ୍ୟମ କରୁଥିଲେ ମଧ୍ୟ ତାଙ୍କୁ ନ ଛାଡି ତରବରିଆ ଭାବେ କଟକ ସ୍ଥାନାନ୍ତର କରାଯାଇଥିଲା । ସେତବେଳକୁ ମହିଳା ସଂଜ୍ଞାହୀନ ଥିଲେ ।

ହେଲେ ବଡ଼ ଦୁଃଖର ବିଷୟ ମାତ୍ର ସେଠାରେ ଡାକ୍ତର ମହିଳାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେଣୁ ଏଥିରେ ଉତ୍ତେଜିତ ହୋଇ ମୃତ ମହିଳାଙ୍କ ପରିବାର ଓ ଗ୍ରାମବାସୀ ମାନେ ମହିଳାଙ୍କ ମୃତଦେହ ମେଡିକାଲ ସାମ୍ନାରେ ରଖିବା ସହ ମେଡିକାଲ ଭିତରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଫଳରେ ମେଡିକାଲ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଥିଲା । ଡାକ୍ତରଙ୍କ ଅବହେଳା ଯୋଗୁ ମହିଳାଙ୍କ ମୃତ୍ୟୁ ଘଟିଥିବା ଦାବି କରି ଏଭଳି କାଣ୍ଡ କରିଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ।

ଶବ ରଖି ଆନ୍ଦୋଳନ କରିବା ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଡେପୁଟି କଲେକ୍ଟର ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରିବା ସହିତ ଏହି ମୃତ୍ୟୁ ଘଟଣାର ତଦନ୍ତ ହେବ ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ ଓ ମୃତ ମହିଳାଙ୍କୁ କ୍ଷତି ପୂରଣ ଦିଆଯିବା ନେଇ ପ୍ରତିଶୃତି ଦେଇଥିଲେ । ପରେ ଉକ୍ତ ଗ୍ରାମବାସୀ ମାନେ ଡାକ୍ତରଖାନାରୁ ଶବ ଓ ଶିଶୁ କନ୍ୟାଙ୍କୁ ନେଇ ଘରକୁ ଯାଇଥିଲେ । ତେବେ ରଞ୍ଜିତାଙ୍କର ପୂର୍ବରୁ ଦୁଇ ଶିଶୁ ଥିବାବେଳେ ଏବେ ନବଜାତ ଶିଶୁ କନ୍ୟାର ଯତ୍ନ କିଏ ନେବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ପରେ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।