କୋଭିଡ୍‌ ସହାୟତା ସାମଗ୍ରୀ ଚାଲାଣ ନେଇ ସରପଞ୍ଚ ସ୍ୱାମୀ ଓ ଗ୍ରାମବାସୀ ମୁହାଁମୁହିଁ

ବାସୁଦେବପୁର (କେନ୍ୟୁଜ୍‌) : କୋଭିଡ ସହାୟତା ସାମଗ୍ରୀ ୋରି ନେଇ ଅଭିଯୋଗ । ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଘେରିଲେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନରସିଂହପୁର ପଂଚାୟତରେ ଏହି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । କରୋନା ମହାମାରୀ ପାଇଁ ନିର୍ମାଣ କରାଯାଇଥିଲା ଅସ୍ଥାୟୀ କୋଭିଡ ସେଣ୍ଟର । ସରକାରଙ୍କ ପକ୍ଷରୁ କିଣା ଯାଇଥିଲା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ । କରୋନା ଟଳିଯିବା ପରେ ପଂଚାୟତ କାର୍ଯ୍ୟାଳରେ ସେହି ସାମଗ୍ରୀ ଗୁଡିକୁ ରଖିବା ପାଇଁ ଜାଗା ହେଲା ନାହିଁ । ତେଣୁ ସରପଂଚ ନରସିଂହପୁରରେ ଥିବା ସରକାରୀ ବିଦ୍ୟାଳୟର ଏକ ଘରେ ସେହି ସାମଗ୍ରୀ ଗୁଡିକୁ ରଖିଥିଲେ । ହେଲେ ଗତକାଲି ବିଳମ୍ବିତ ରାତିରେ ସରପଂଚଙ୍କ ସ୍ୱାମୀ ସେଗୁଡିକୁ ଏକ ଅଟୋ ମାଧ୍ୟମରେ ଅନ୍ୟ ଜାଗାକୁ ନେଉଥିଲେ । ଏହି ସମୟରେ ଗ୍ରାମବାସୀମାନେ ତାଙ୍କୁ ଅଟକ ରଖିଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ପରେ ଘଟଣା ସ୍ଥଳରେ ସରପଂଚ ପହଂଚି ସାମଗ୍ରୀ ଗୁଡିକୁ ନେବାକୁ ଚେଷ୍ଟା କରିଥିଲେ । ଫଳରେ ସେଠାରେ ଗଣ୍ଡଗୋଳ ବଢ଼ି ଯାଇଥିଲା । ଏମିତିକି ଗ୍ରାମବାସୀ ଓ ସରପଂଚଙ୍କ ମଧ୍ୟରେ ଯୁକ୍ତିତର୍କ ଓ ହାତାହାତି ମଧ୍ୟ ହୋଇଥିଲା ।

BASUDEBPUR-2
ଖବର ପାଇ ବାସୁଦେବପୁର ପୋଲିସ ପହଞ୍ଚି ଅଟୋରେ ଥିବା ଜିନିଷପତ୍ର ସହିତ ସରପଞ୍ଚଙ୍କ ସ୍ୱାମୀଙ୍କୁ ଥାନାକୁ ନେଇ ପଚରା ଉଚରା କରିଛନ୍ତି । ଅନ୍ୟ ପଟେ ସେହି ସରକାରୀ ବିଦ୍ୟାଳୟରେ ଆଗକୁ ହେବାକୁ ଥିବା ନବୋଦୟ ପରୀକ୍ଷାର ପଶ୍ନପତ୍ର ଆସି ରହିଛି । ଏହି ସମୟରେ କେମିତି ଓ କେଉଁ କାରଣରୁ ରାତିରେ ବିଦ୍ୟାଳୟର ଚାବି ଅନ୍ୟ ଲୋକଙ୍କୁ ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି।

ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ପିଅନ ପାଖରେ ଚାବି ଥିଲା କହି କଥାକୁ ଏଡାଇ ପଳାଇ ଯାଇଥିଲେ । ତେବେ ସରପଞ୍ଚଙ୍କ ସ୍ୱାମୀ କହିଛନ୍ତି ପ୍ରଧାନ ଶିକ୍ଷକଙ୍କ ଅନୁମତିରେ ଆମେ ସ୍କୁଲରେ ଜିନିଷ ରଖିଥିଲୁ । ଏହାକୁ ଅନାଥାଶ୍ରମକୁ ଦିଆଯିବା ପାଇଁ ସ୍ଥିର ହୋଇଥିଲା ।