ଠାକୁରାଣୀ ଜମି ଚାଷକୁ ନେଇ ହଣାକଟା, ୯ ଜଣରୁ ଊର୍ଦ୍ଧ୍ୱ ଆହତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମହୁଲି ଗାଁରେ ଖଣ୍ଡ ଯୁଦ୍ଧ । ତୁମ୍ବର୍ଲା ପଂଚାୟତ ଅନ୍ତର୍ଗତ ଏହି ଗାଁରେ ଆଜି ଠାକୁରାଣୀଙ୍କ ଜମି ବାଡ଼ି ବିବାଦକୁ ନେଇ ମାରପିଟ୍‌ ହୋଇଛି । ଜମିରେ ହୋଇଥିବା ଚାଷ କାମକୁ ନେଇ ସପକ୍ଷ ଓ ବିପକ୍ଷବାଦୀଙ୍କ ଗଣ୍ଡଗୋଳରେ ଉଭୟ ପକ୍ଷରୁ ୯ ଜଣରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବଂ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଜମିରେ ଚାଷ କରୁଥିବା ଗ୍ରାମବାସୀ ପ୍ରତାପ ଭତରା, ପଦ୍ମନ ନାୟକ, ଲକି ଭତରା ଗୁରୁତର ଆହତ ହୋଇଛନ୍ତି । ସେହିପରି ଚାଷ କାମକୁ ବିରୋଧ କରୁଥିବା ପୂଜାରୀ ସାହିର ଦେବରାଜ ଯାନୀ, ମୋତାଇ ଯାନୀ, ଡାଇମତି ଯାନୀ, ଆସାଡୁ ଯାନୀ, ପୁରୁଷୋତ୍ତମ ଯାନୀ, ପୀତାମ୍ବର ଯାନୀ, ବଳଦେବ ଯାନୀ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି । ଘଟଣାକୁ ନେଇ ଗ୍ରାମବାସୀଙ୍କ ତରଫରୁ ତୁମ୍ଭର୍ଲା ଥାନାରେ ଏତଲା ଦିଆଯାଇଛି ।

ATTACK-2

ଗ୍ରାମର ଖାତା ନମ୍ବର ୨୦୫ ରେ ଥିବା ଠାକୁରାଣୀଙ୍କ ଜମିରେ ଚାଷ କାମକୁ ନେଇ ଏହି ବିବାଦ ଘଟିଥିଲା । ଦୀର୍ଘ ଦିନ ହେଲା ଗ୍ରାମବାସୀ ଗ୍ରାମର ଠାକୁରାଣୀ ଜମିକୁ ଚାଷ କରି ଆସୁଥିଲେ । ଠାକୁରାଣୀ ପୂଜାରୀ ଆସାଡ଼ୁ ଯାନୀ ସହ ପୂଜାରୀ ସାହିର ଲୋକେ ପ୍ରତିବାଦ କରୁଥିଲେ । କିଛି ବର୍ଷ ତଳେ ଠାକୁରାଣୀ ପୂଜାରୀ ପରିବାର ତଥା ସାହିର ଲୋକ ଏହାକୁ ବିରୋଧ କରିବା ପରେ ଘଟଣା କୋର୍ଟକୁ ଯାଇଥିଲା । ଫଳରେ ସଂପୃକ୍ତ ଜମି ଉପରେ ୧୪୪, ଧାରା ଜାରି ହୋଇଥିଲା । ପରେ ଗ୍ରାମବାସୀ ସେହି ଜମିକୁ ପୁଣି ଚାଷ କରି ଆସୁଥିଲେ । ଆଜି ଗ୍ରାମବାସୀ ସେହି ଜମିରୁ ଧାନ କାଟିବା ଆରମ୍ଭ କରିଥିଲେ । ଏହି ସମୟରେ କଥା କଟାକଟି ଏବଂ ପରେ ପରସ୍ପରକୁ ଲୁହା ରଡ୍‌, ଠେଙ୍ଗା, ଧନୁ, ତୀର, ଟାଙ୍ଗିଆ ଆଦିରେ ହଣାମରା ଆରମ୍ଭ ହୋଇ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.