ଲୋକଙ୍କ ବିରୋଧ ଯୋଗୁଁ ରେଢ଼ାଖୋଲରେ ଦିନ ସାରା ଲାଗି ରହିଲା ଉତ୍ତେଜନା

ରେଢ଼ାଖୋଲ : ଚାରି ଆଡ଼େ ପାଟି ତୁଣ୍ଡ ହୋ ହାଲ୍ଲା । ଗୋଟିଏ ନାରା ନ୍ୟାୟ ମିଳୁ ଦୋଷୀ ଦଣ୍ଡ ପାଉ । ଏହାରି ଭିତରେ ଗୋଟିଏ କଥା ସମସ୍ତଙ୍କୁ ବିସ୍ମିତ କରିଥିଲା । ଯୁବତୀଙ୍କ ମୃତଦେହ ଧରି ଗାଁର ଏ ମୁଣ୍ଡରୁ ସେ ମୁଣ୍ଡକୁ ବୁଲିଥିଲେ ପୋଲିସ । କିନ୍ତୁ ଗାଁ ଲୋକେ ସତ୍କାର କରିବାକୁ ଅନୁମତି ଦେଇ ନଥିଲେ । ପୋଲିସକୁ ଜୋରଦାର ବିରୋଧ କରିଥିଲେ । ଶେଷରେ ମୃତଦେହ ଧରି ରେଢ଼ାଖୋଲ ଫେରିଲେ ଉପଜିଲ୍ଲାପାଳ ଓ ପୁଲିସ୍‌ ପ୍ରଶାସନ । ଆପଣ ଭାବୁଥିବେ ପୋଲିସ ତାଙ୍କ ଡ୍ୟୁଟି କରିବାକୁ ନଦେଇ କାହିଁକି ବିରୋଧ କରୁଥିଲେ । ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ…

ଗତ ଶୁକ୍ରବାର ସକାଳେ ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ସାହେବି ଗାଁର ୨୦ ବର୍ଷୀୟା ଯୁବତୀ ଜଣକ ମାଟିଆରୀ ଗାଧୋଇବା ପାଇଁ ନାଳକୁ ଯାଇଥିଲେ । ହେଲେ ଘରକୁ ଫେରିନଥିଲେ । ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡେ ଖୋଜିଥିଲେ । ହେଲେ ତାଙ୍କ ପତ୍ତା ପାଇନଥିଲେ । ନିଜର ବଢ଼ିଲା ଝିଅକୁ ନପାଇ ପରିବାର ଲୋକେ ଏନେଇ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ରବିବାର ସକାଳେ ଯୁବତୀଙ୍କ କ୍ଷତବିକ୍ଷ ବସ୍ତ୍ର ବିହୀନ ମୃତଦେହ ଗାଁଠାରୁ ଏକ କିମି ଦୂରରେ ଥିବା ଝାରବେଡା-ପାଣ୍ଡରିପଶି ଜଙ୍ଗଲରେ ପଡ଼ିଥିଲା ଦେଖିବାକୁ ମିଳିଥିଲା । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ ନାକଟିଦେଉଳ-ଅନୁଗୁଳ ରାସ୍ତା ରୋକ କରିଥିଲେ । ଖବର ପାଇଁ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା । ହେଲେ ଉତ୍ତ୍ୟକ୍ତ ଗାଁ ଲୋକେ ମୃତଦେହ ଜବତ କରିବା ପାଇଁ ପୁଲିସ୍‌କୁ ଦେଇନଥିଲେ । ତେବେ ରବିବାର ରାତି ପ୍ରାୟ ୨ଟା ପରେ ପୁଲିସ୍‌ ସ୍ଥାନୀୟ ସରପଞ୍ଚଙ୍କ ମାର୍ଫତରେ ଜଙ୍ଗଲରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ୍‌କୁ ପଠାଇଥିଲା । ହେଲେ ପରିବାର ଓ ଗାଁ ଲୋକଙ୍କୁ ଜଣାଇନଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାର ନିୟମ ରହିଛି । ହେଲେ ପରିବାର ଲୋକ ମୃତଦେହ ନେଲେ ନାହିଁ । ଦୁଷ୍କର୍ମ ଅଭିଯୋଗ ଆସିଥିବା ଯୁବକକୁ ଗାଁରୁ ବିତାଡିତ କରିବା, ଅଭିଯୁକ୍ତଙ୍କ ନାଁରେ ଥିବା ପୁରୁଣା ମାମଲାର ତଦନ୍ତ, ପୀଡ଼ିତଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଦାବିରେ ଅଡି ବସିଥିଲେ ଗାଁ ଲୋକ ।

ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତ, ଆଡିସିନାଲ୍‌ ଏସ୍‌ପି ଅଜୟ କୁମାର ମିଶ୍ର ଓ ଦେବିଶିୟସ୍‌ କେରକେଟା ଗାଁ ଏବଂ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ । ବହୁ ବୁଝାବୁଝି ପରେ ଶବ ସତ୍କାର ପାଇଁ ଗାଁ ଲୋକେ ରାଜି ହୋଇଥିଲେ । ଏହା ପରେ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତ, ଆଡିସିନାଲ୍‌ ଏସ୍‌ପି ଅଜୟ କୁମାର ମିଶ୍ର, ଆଲ୍‌ବିନିୟସ୍‌ କେରକେଟା, ସ୍ଥାନୀୟ ବିଡିଓ, ତହସିଲଦାର୍‌ ପ୍ରମୁଖ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଯୁବତୀଙ୍କ ମୃତଦେହ ଓ କାଠ ଧରି ଝାରବେଡ଼ା ଗାଁ ପାଖରେ ନାଳ ପାଖରେ ପହଞ୍ଚିଥିଲେ । ହେଲେ ସେଠାରେ ଗାଁ ଲୋକେ ବିରୋଧ କରିଥିଲେ । ପୋଡ଼ିବାକୁ ଦେଇନଥିଲେ । ତା’ପରେ ମୃତଦେହକୁ ଧରି ଯୁବତୀଙ୍କ ଗାଁ ସାହେବକୁ ଆସିଥିଲେ । ସେଠାରେ ମଧ୍ୟ ଶବ ସତ୍କାର କରିବାକୁ ଗାଁ ଲୋକେ ଦେଲେନାହିଁ । ସୁରକ୍ଷା ଦୃଷ୍ଟିରୁ ଗାଁରେ ୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି । ଦିନ ତମାମ ମୃତଦେହ ଧରି ଏ ଗାଁରୁ ସେ ଗାଁ ବୁଲି ବୁଲି ଅପରାହ୍ନରେ ରେଢାଖୋଲ ଫେରିଲା ପ୍ରଶାସନ । ଶେଷ ଖବର ସୁଦ୍ଧା ରେଢାଖୋଲ ଏନ୍‌ଏସି ଶ୍ମଶାନରେ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି । ଏବେ ସୁଦ୍ଧା ଗାଁରେ ଉତ୍ତେଜନା ପରିସ୍ଥିତି ରହିଛି । ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି ।

You might also like