ରାଜଧାନୀରେ ଲୁଟେରାଙ୍କ ଆତଙ୍କ, ଥାନା ଠାରୁ ମାତ୍ର ଶହେ ଦୁଇ ଶହ ମିଟର ଦୂରରେ ହେଉଛି ଚୋରି

ଲୁଟେରାଙ୍କ ଆତଙ୍କରେ ଅତିଷ୍ଠ ହୋଇ ତ୍ରାହି ତ୍ରାହି ଡାକିଲେଣି ଲୋକେ। ଯୁଆଡେ ଦେଖିବେ ଯେତେବେଳେ ଦେଖିବେ ସବୁଆଡ଼େ ଲୁଟ୍ ଓ ଛିନତାଇ ଖବର । ଥାନା ଠାରୁ ମାତ୍ର ଶହେ ଦୁଇ ଶହ ମିଟର ଦୂରରେ ଘଟୁଛି ଏମିତି ଘଟଣା । ଘରୁ ବାହାରିବାକୁ  ସୁରକ୍ଷିତ ମଣୁ ନାହାନ୍ତି ଲୋକେ । ଲୁଟେରାମାନେ ଘର ଭିତରେ ପଶି ଲୁଟ୍ କରୁଥିବା ଖବର ବି ସାମ୍ନାକୁ ଆସୁଛି । ବେଳେ ବେଳେ ଲୁଟେରାମାନେ ଲୁଟ୍ କରିବା ଚକରରେ ନିରୀହ ଲୋକଙ୍କୁ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି ।

ଏଭଳି ଲୁଟ୍ ଘଟଣା ଘଟୁଥିବା ଦେଖି ଭାରି ଆତଙ୍କିତ ଅବସ୍ଥାରେ ଅଛନ୍ତି ବଡ଼ଗଡ଼ ଅଞ୍ଚଳର ବାସିନ୍ଦା । ସକାଳ, ଦିପହର କି ସନ୍ଧ୍ୟା, ଲୁଟର ସମୟ ନାହିଁ । ଜନ ଗହଳି ଥାଉ କି ନଥାଉ ସେଥିପ୍ରତି ଲୁଟେରାଙ୍କ ଭ୍ରୁକ୍ଷେପ ନାହିଁ ।  ହାତରେ ସୁନା କି ଟଙ୍କା ପଡ଼ିଲେ ଲୁଟ କରି ଖସି ପଳାଉଛନ୍ତି ଲୁଟେରା । ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ କରିବା ଲୁଟେରାଙ୍କ ପାଇଁ ବାଁ ହାତର ଖେଳ ହୋଇଗଲାଣି । ଭାସ୍କରେଶ୍ବର ମନ୍ଦିର ପୂଜକଙ୍କ ସୁନା ଚେନ ଲୁଟ ଘଟଣାକୁ କେଇଟା ଦିନ ନପୁରୁଣୁ ବଡଗଡ଼ ଥାନା ଅଞ୍ଚଳରେ ଏକା ଦିନରେ ଥାନା ଠାରୁ ଅଳ୍ପ ଦୂରରେ ତିନୋଟି ସ୍ଥାନରେ ଚେନ ଲୁଟ ହୋଇଛି । ଥାନା ଅଧିକାରୀଙ୍କ ଅପାରଗତାକୁ ପଦାରେ ପକାଇଛି ଏଭଳି ଘଟଣା ।

ଲୁଟେରାଙ୍କ ଏହି ଲୁଟ ଲୋକଙ୍କୁ ଏକ ପ୍ରକାର ଆତଙ୍କିତ କରିଛି ।  ତେବେ ଗତ ଗୁରୁବାର ଘଟିଥିବା ଘଟଣାକୁ ନେଇ ଭୟଭୀତ ଅଛନ୍ତି ଲୋକେ । ରାଜଧାନୀରେ କଳା ପଲସରରେ ଅସିଥିବା ଲୁଟେରା ବଡ଼ଗଡ଼ ଥାନା ଅନ୍ତର୍ଗତ ତିନୋଟି ସ୍ଥାନରେ ଚେନ୍ ଛିନତାଇ କରିଛନ୍ତି । ବଡ଼ଗଡ଼ ପାର୍କ ପାଖ ରାସ୍ତାରେ ଜଣେ କନଟ୍ରାକ୍ଟରଙ୍କ ବେକରୁ ଦୁଇଟି ଚେନ ଛିଡାଇ ଦୁର୍ବୁତ୍ତ ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ । ଏନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିପିନ ବିହାରୀ ପାତ୍ର । ଘଟଣାକୁ ନେଇ ଦୁଇ ଦିନରୁ ଅଧିକ ସମୟ ହୋଇଥିଲେ ମଧ ପୋଲିସ ହାତ ଖାଲିଥିବା ଅଭିଯୋଗ ହୋଇଛି ।

ଖାଲି ସେତିକି  ନୁହେଁ ମଞ୍ଚେଶ୍ବର ଅଞ୍ଚଳବାସୀ ମଧ୍ୟ ଅନେକ ସମୟରେ ଛିନତାଇର ଶିକାର ହେଉଛନ୍ତି ବୋଲି ଅଭିଯୋଗ ରହିଛି । ଏହି ଲୁଟେରାମାନେ କ୍ୟାପିଟାଲ ଥାନା ଅଞ୍ଚଳରୁ ମଧ୍ୟ ଦୁଇ ଜଣଙ୍କ ଠାରୁ ଚେନ ଲୁଟ କରିଥିବା ଅଭିଯୋଗ ହୋଇଛି ।

ତେବେ ଗୋଟିଏ ଦିନରେ ଛଅଟି ସ୍ଥାନରୁ ଲୋକଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ରାଜଧାନୀରେ ଏମିତି ଘଟଣା ସତରେ ଆଶ୍ଚର୍ଯ୍ୟନୀୟ । ଚୋରି ବେଳେ ସିସିଟିଭିରେ ରେକର୍ଡ ହେଉଛି  ସବୁ କିଛି । କିନ୍ତୁ ଲୁଟେରାଙ୍କୁ କାବୁ କରାଯାଉନଥିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଲୁଟେରାଙ୍କୁ ଧରିବା ପାଇଁ ପୋଲିସ୍ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ସେମାନେ ଶୀଘ୍ର ଧରାପଡ଼ିବେ ବୋଲି ପୋଲିସ୍ କହିଛି ।

Also Read: ଏଟିଏମ କାର୍ଡରୁ ୯୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଅଭିଯୋଗ