ଧାନ ଅମଳ କରିବାକୁ ଆଉ କେଇଟା ଦିନ ବାକି ଥିବାବେଳେ ଚକଡ଼ା ପୋକର ଆତଙ୍କ

ପୁରୀ : ସୁନାର ଫସଲ ଫଳାଇଛି ଚାଷୀ । ଧାନ କ୍ଷେତରେ ଲହଡ଼ି ମାରୁଛି ଧାନ କେଣ୍ଡା । ଆଶା ରଖିଛି ଏଥର ଭଲ ଫସଲ ହୋଇଥିବାରୁ ଅମଳ ମଧ୍ୟ ଭଲ ହେବ । ତେବେ ଏବେ ଚାଷୀର ମୁଣ୍ଡରେ ଚଡ଼କ ପଡ଼ିଛି । ଧାନ ଫସଲରେ ଏବେ ଚକଡ଼ା ପୋକ ଲାଗିବା ଫଳରେ ପୁରୀ ଜିଲ୍ଲା କଣାସ ବ୍ଳକ ତ୍ରିଲୋଚନପୁର ପଂଚୟତର ଚାଷୀମାନଙ୍କ ମନ ଦୁଃଖ । ଧାର ଉଧାର କରି ନିଜ କ୍ଷେତରେ ସରକାରଙ୍କ ଠାରୁ ମିଳୁଥିବା କଳାଚମ୍ପା ସ୍ୱର୍ଣ୍ଣ ସବ-୦୧ ମୃଣାଳିନୀ ସିଆସ ସବ ଏବଂ ବେସରକାରୀ ଭାବରେ ନିଜିଗୁଡ଼ି ହାଇବ୍ରିଡ଼ ବିହନକୁ ଆଣି ଆବଶ୍ୟକ ସାର ଔଷଧ ପକାଇ ଚାଷ କାର୍ଯ୍ୟ କରିଥିଲା ।

ତେବେ ଏବେ ଚକଡ଼ା ପୋକ ଧାନ ଗଛ ମୂଳରେ ଲାଗିବାରୁ ଏହା ଗଛର ମୂଳ ସହିତ ଧାନକୁ ଶୁଷ୍କ କରି ଦେଉଛନ୍ତି । ଏହି ଚକଡ଼ା ପୋକ ମାନଙ୍କର ମାତ୍ରା ଏତେ ଜୋରରେ ରହିଛି ଯେ ଦୁଇ ରୁ ତିନି ଦିନ ମଧ୍ୟରେ ଏକର ରୁ ଦୁଇ ଏକର ଧାନ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଉଛନ୍ତି । ଏହାକୁ ପ୍ରତିହତ କରିବା ଏବେ ଚାଷୀମାନଙ୍କ ପାଇଁ କଷ୍ଟକର ବ୍ୟାପାର ହେଉଛି । ତେବେ କିଛି ଚାଷୀ ବିଭିନ୍ନ ଦୋକାନରୁ ଔଷଧ କିଣି ତାହାକୁ ସ୍ପ୍ରେ କରି କିଛି ମାତ୍ରାରେ ପୋକ ଗୁଡ଼ିକ ବିନାଶ କରୁଥିବାବେଳେ ଏହା ସେତେଟା ଫଳପ୍ରଦ ହୋଇ ପାରୁ ନାହିଁ । ଯାହା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ପୁରୀ ଜିଲ୍ଲାରେ ୧ ଲକ୍ଷ ୩୦ ହଜାର ୫୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି । ତେବେ କଣାସର ତ୍ରିଲୋଚନପୁର ପଂଚାୟତର କାତପଡ଼ା ବେଲପଡ଼ା ରାଣୀପଡ଼ା ଗାଉପଡ଼ା ଚଂଚେଇପଡ଼ା ଆଦି ମୌଜାରେ ହୋଇଥିବା ଧାନ ଚାଷ ମଧ୍ୟରୁ ପାଖାପାଖି ୭୦ ଏକର ଧାନ କ୍ଷେତରେ ଚକଡ଼ା ପୋକ ଲାଗିଛି । ପୁରୀ କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ସୂର୍ଯ୍ୟ ନାରାୟଣ ମିଶ୍ର ଏବଂ ଅନ୍ୟ ବୈଜ୍ଞାନିକ ଏବଂ ପୁରୀ ଜିଲ୍ଲା କୃଷି ଅଧିକାରୀ ଘଟଣା ସ୍ଥଳରେ ପହଂଚି ଚାଷୀ ଙ୍କ ସହିତ ମିଶି କ୍ଷେତରେ କେଉଁ ପୋକ ଲାଗିଛି କେତେ ପରିମାଣରେ ଲାଗିଛି ତାହା ଦେଖିଥିଲେ ।

ଏହା ସହିତ ଚାଷୀମାନେ କୃଷି ବିଜ୍ଞାନ କେନ୍ଦ୍ରକୁ ଯାଇ ପରୀକ୍ଷା କରାଇ ପାରିବେ । ଚାଷୀମାନଙ୍କୁ ଔଷଧ କିଣିବା ପାଇଁ ହେକ୍ଟର ପ୍ରତି ୫୦୦ ଟଙ୍କା ହିସାବରେ ରିହାତି ଯୋଗାଇ ଦେଉଛନ୍ତି ରାଜ୍ୟ ସରକାରଙ୍କ କୃଷି ବିଭାଗ । ଏଥିପାଇଁ ବ୍ଳକରେ ଅନେକ ସରକାରୀ ସ୍ୱୀକୃତି ପ୍ରାପ୍ତ ଔଷଧ ଏବଂ ସାର ଦୋକାନ ଖୋଲାଯାଇଛି । ଚାଷୀମାନେ ସୁବିଧା ସୁଯୋଗ ନେଇପାରିବେ ବୋଲି ପୁରୀ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ।

You might also like