ପାଚେରୀ ଭାଙ୍ଗିଲେ ଠାକୁର, ଏଭଳି ଚମତ୍କାର ଆଖିରେ ନ ଦେଖିଲେ ବିଶ୍ୱାସ ହେବନି

ସାଲେପୁର: ପ୍ରଭୁଙ୍କ ଲୀଳାଖେଳା ଅପାର । ଇହଲୋକରେ ରହି କେତେ ଯେ ଲୀଳାଖେଳା କରିଥାନ୍ତି ସେ ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିବା କଷ୍ଟକର । ପ୍ରଭୁଙ୍କ ଏଭଳି ଏକ ଚମତ୍କାର ଘଟଣା ଦେଖିବାକୁ ମିଳିଛି ଦୋଳ ଯାତ୍ରାରେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭାରି ପ୍ରତ୍ୟକ୍ଷ ଠାକୁର ପ୍ରଭୁ ଲକ୍ଷ୍ମୀ ନୃସିଂହ । ଆଜି ପର୍ଯ୍ୟନ୍ତ କେହି ତାଙ୍କ ବାଟ ଅବରୋଧ କରି ପାରିନାହାଁନ୍ତି । କଟକ ଜିଲ୍ଲା ସାଲେପୁର ବ୍ଲକ୍ ପୂର୍ବକଛର ଆରାଧ୍ୟ ପ୍ରଭୁ ଲକ୍ଷ୍ମୀ ନୃସିଂହଙ୍କ ଆରମ୍ଭ ହୋଇଛି ପବିତ୍ର ଦୋଳ ଯାତ୍ରା ।

ଦୋଳ ଯାତ୍ରା ସମୟରେ ଠାକୁର ଗାଁ, ସାହି, ବିଲ, ପୋଖରୀ, ନଦୀ ନାଳ ପାର ହୋଇ ଘର ଘର ବୁଲି ବୁଲି ଭୋଗ ଖାଇଥାଆନ୍ତି । କାହିଁ କେଉଁ ଅନାଦି କାଳରୁ ଏହି ନିୟମ ଅଛି ପ୍ରଭୁ ଲକ୍ଷ୍ମୀ ନୃସିଂହ ଯେଉଁ ବାଟ ଦେଇ ଯାଆନ୍ତି ସେହି ବାଟରେ ଫେରନ୍ତି ନାହିଁ । ଆଉ ଯାତ୍ରା ସମୟରେ ଯଦି କେହି ପ୍ରଭୁଙ୍କ ପଥ ଅବରୋଧ କରେ ସେହିଠାରେ ହିଁ ବିମାନ ଅଟକି ଯାଏ । ତେବେ ବର୍ତ୍ତମାନ ସେହିଭଳି ଏକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେଉଛି । ଗତକାଲି ରାତିରେ ମଧ୍ୟକଛରୁ ଭୋଗ ଖାଇ ଚମ୍ପତି ବିଲ ଗହିର ଦେଇ ଆଜି ସକାଳୁ ଫେରିବା ସମୟରେ ପ୍ରଭୁ ଲକ୍ଷ୍ମୀ ନୃସିଂହଙ୍କ ବିମାନ ଅଟକି ଯାଇଥିଲା ।

ଭକ୍ତମାନେ ଯାଇ ଦେଖିଲା ବେଳକୁ ପ୍ରଭୁ ଯିବା ରାସ୍ତାରେ ଏକ ପାଚେରୀ ଉଠିଛି । ଯେଉଁଥିପାଇଁ ସେଠାରେ ପ୍ରଭୁଙ୍କ ବିମାନ ଅଟକି ଯାଇଥିଲା । ଯାହାପରେ ସଙ୍ଗେ ସଙ୍ଗେ ଉକ୍ତ ପାଚେରୀକୁ ଭଙ୍ଗା ଯାଇ ପଥ ପରିଷ୍କାର ହେବା ପରେ ପ୍ରଭୁଙ୍କ ବିମାନ ପୁଣି ଆଗକୁ ଯାଇଥିଲା । ଏହାକୁ ନେଇ ଏଭଳି ପ୍ରଥା ଓ ପରମ୍ପରା ପୂର୍ବପୁରୁଷରୁ ଚାଲି ଆସୁଛି ବୋଲି କହିଛନ୍ତି ମନ୍ଦିର କମିଟି । ତେବେ ଆପଣ ଏହାକୁ ବିଶ୍ୱାସ କହିବେ ନାଁ ଅନ୍ଧ ବିଶ୍ବାସ ତାହା ଆପଣଙ୍କ ଶ୍ରଦ୍ଧା ଭକ୍ତି ଉପରେ ନିର୍ଭର କରେ ।

କିନ୍ତୁ ଏହାରି ଭିତରେ ଏବେବି ଅନେକ ଭକ୍ତଙ୍କର ପ୍ରଭୁଙ୍କ ଉପରେ ରହିଛି ପ୍ରଗାଢ ବିଶ୍ଵାସ । କଥାରେ ଅଛି ମାନିଲେ ଦିଅଁ ନ ମାନିଲେ ପଥର । କିନ୍ତୁ ପ୍ରଭୁଙ୍କ ଏଭଳି ଚମତ୍କାର ଦେଖିଲେ ଈଶ୍ୱରୀୟ ଶକ୍ତି ଉପରେ ବିଶ୍ୱାସ ନ କରି ରହିହେବନି । ତେବେ ଏହା ନୂଆ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଏଭଳି ଅନେକ ଥର ପ୍ରଭୁ ଏଭଳି ବାଡ଼ ପାଚେରୀ ଭାଙ୍ଗି ରାସ୍ତା ଅତିକ୍ରମ କରନ୍ତି । ପ୍ରଭୁଙ୍କ ଏଭଳି ପରମ୍ପରା ସତରେ ବେଶ ନିଆରା ।

Also read: ମାଧିପୁର ଗ୍ରାମର ଦୋଳ ବିମାନରେ ମହାପ୍ରଭୁଙ୍କ ହରିହର ଭେଟ, ତିନି ଦିନ ଧରି ଚାଲିଲା ନାମ ଯଜ୍ଞ