ପାନୀୟ ଜଳ ପାଇଁ ହନ୍ତସନ୍ତ ଥାଲିପାଣି ଓ ଜୁନାପାଣି ବାସିନ୍ଦା, ଦୀର୍ଘ ୨କି.ମି. ଚାଲି ଚାଲି ଚୁଆରୁ ଆଣୁଛନ୍ତି ପାଣି
ପ୍ରତିଦିନ ପାନୀୟ ଜଳ ଅଭାବରୁ ଉଭୟ ଥାଲିପାଣି ଓ ଜୁନାପାଣି ଗାଁର ମହିଳାମାନେ ଟାଣ ଖରାରେ ଗାଁରୁ ଦୀର୍ଘ ୨କି.ମି.ଦୂରତାରେ ପଡୋଶୀ ଛତିଶଗଡ ସୀମାନ୍ତରେ ଥିବା ବିଗଧରା ନାଳକୁ ଯାଇ ଚୁଆଁ ଖୋଳି ଦୂଷିତ ଜଳକୁ ସଂଗ୍ରହ କରିବା ପାଇଁ ସଂଘର୍ଷ କରୁଛନ୍ତି ।

ନୂଆପଡା(କେନ୍ୟୁଜ): ନୂଆପଡା ଜିଲ୍ଲାର ଶେଷ ସୀମାନ୍ତରେ ପଡୋଶୀ ଛତିଶଗଡକୁ ଲାଗି ରହିଛି ସୁନାବେଡା ଗ୍ରାମପଞ୍ଚାୟତର ଥାଲିପାଣି ଗାଁ । ଏହି ଗାଁଟି ମାଓ ଅଧ୍ୟୁଷିତ ଦୁର୍ଗମ ଘଞ୍ଚ ପାହାଡିଆ ଅଞ୍ଚଳ ମଧ୍ୟରେ ରହିଛି । ଏହି ଥାଲିପାଣି ଗାଁରେ ଅଧିକାଂଶ ଆଦିବାସୀ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି । ଗାଁରେ ଥିବା ନଳକୂପ ଗୁଡିକରେ ଲୌହଯୁକ୍ତ ଓ ମାତ୍ରାଧିକ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଥିବାରୁ ଲୋକଙ୍କ ପିଇବା ଯୋଗ୍ୟ ହୋଇପାରୁନାହିଁ । ଯାହାଫଳରେ ପାନୀୟ ଜଳ ଅଭାବରୁ ଗ୍ରାମବାସୀ ନାଳରେ ଚୂଆଖୋଳି ଦୂଷିତ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଦୀର୍ଘ ୫ ବର୍ଷ ତଳେ ସୈାରଚାଳିତ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ହେଲେ ତାହା କିଛି ଦିନ ଚାଳିବା ପରେ ବିଭିନ୍ନ ସ୍ଥାନରେ ପାଇପ ଗୁଡିକ ଫାଟିଯିବାରୁ ଅଚଳ ହୋଇପଡିଛି । ପ୍ରତିଦିନ ପାନୀୟ ଜଳ ଅଭାବରୁ ଥାଲିପାଣି ଗାଁର ମହିଳାମାନେ ଟାଣ ଖରାରେ ଗାଁରୁ ଦୀର୍ଘ ୨କି.ମି.ଦୂରତାରେ ପଡୋଶୀ ଛତିଶଗଡ ସୀମାନ୍ତରେ ଥିବା ବିଗଧରା ନାଳକୁ ଯାଇ ଚୁଆଁ ଖୋଳି ଦୂଷିତ ଜଳକୁ ସଂଗ୍ରହ କରିବା ପାଇଁ ସଂଘର୍ଷ କରୁଛନ୍ତି । ଏହି ଚୁଆର ଦୂଷିତ ଜଳକୁ ସେବନ କରିବା ଦ୍ଵାରା ଗାଁର ଅନେକ ଶିଶୁ ଓ ମହିଳାମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବହୁ ଅସୁବିଧାର ହେଉଥିବା ସ୍ଥାନୀୟ ମହିଳାମାନେ କହିଛନ୍ତି ।
କୋମନା ବ୍ଲକ ଥାଲିପାଣି ଗାଁ ସମେତ ଜୁନାପାଣି ଗାଁରେ ମଧ୍ୟ ଦିନକୁ ଦିନ ପାନୀୟ ଜଳର ଉତ୍କଟ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାନୀୟ ଜଳ ସହ ସ୍ଥାନୀୟ ଲୋକମାନେ ଗାଧୋଇବା ପାଇଁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଥାଲିପାଣି ଓ ଜୁନାପାଣି ଗାଁଲୋକଙ୍କ ପାନୀୟ ଜଳ ସମସ୍ୟା ଦୂରକରିବା ପାଇଁ ଦୀର୍ଘ ବର୍ଷ ହେଲା ଜନସ୍ଵାସ୍ଥ୍ୟ ବିଭାଗ ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଓଭରହେଡ ଟ୍ୟାଙ୍କ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାମ ଚାଲିଛି, ହେଲେ ଜନସ୍ଵାସ୍ଥ୍ୟ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାମ ଏଯାଏଁ ସଂପୂର୍ଣ ହୋଇପାରିନାହିଁ ।
ଓଭରହେଡ ଟ୍ୟାଙ୍କ ନିର୍ମାଣ ଶେଷହେବା ପୂର୍ବରୁ ବିଭିନ୍ନ ସ୍ଥାନରେ ପାଇପ ଗୁଡିକ ଫାଟିଯିବା ସହ ଷ୍ଟାଣ୍ଡପୋଷ୍ଟ ଗୁଡିକ ମଧ୍ୟ ଭାଙ୍ଗି ନଷ୍ଟ ହୋଇପଡିଛି । ଯାହାଫଳରେ ଥାଲିପାଣି ଓ ଜୁନାପାଣି ଦୁଇଟି ଗାଁଲୋକେ ପାନୀୟ ଜଳ ଅଭାବରୁ ଡହଳବିକଳ ହେଉଛନ୍ତି । ଅଚଳ ହୋଇପଡିଥିବା ସୈାରଚାଳିତ ପାନୀୟ ଜଳ ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଥାଲିପାଣି ଗ୍ରାମବାସୀ ବାରମ୍ୱାର ଜିଲ୍ଲା ପ୍ରଶାସନ ଓ ଜନସ୍ଵାସ୍ଥ୍ୟ ବିଭାଗ ନିକଟରେ ଦାବି କରିଆସୁଛନ୍ତି । ହେଲେ ପ୍ରଶାସନ ତରଫରୁ ଏଯାଏଁ ପାନୀୟ ଜଳର ବ୍ୟବସ୍ଥା କରାଯାଇନାହିଁ ।
ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଥାଲିପାଣି ଓ ଜୁନାପାଣି ଗ୍ରାମବାସୀଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅପରପକ୍ଷେ, ସୁନାବେଡା ଅଭୟାରଣ୍ୟ ମଧ୍ୟରେଥିବା ଥାଲିପାଣି ଓ ଜୁନାପାଣି ଗାଁର ପାନୀୟ ଜଳ କଷ୍ଟକୁ ନେଇ ଆମେ ନୂଆପଡା ପିଡି ଡିଆରଡିଏଙ୍କ ପ୍ରତିକ୍ରିୟା ନେଇଥିଲୁ । ସେ ଅଚଳ ହୋଇପଡିଥିବା ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ ମରାମତି କରିବା ସହିତ ଗାଁଲୋକଙ୍କୁ ଖୁବଶୀଘ୍ର ବିଶୁଦ୍ଧ ପାନୀୟ ଜଳ ଯୋଗେଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ଗ୍ରୀଷ୍ମ ତାତି ବଢିବା ସହ ନୂଆପଡା ଜିଲ୍ଲାର ଦୁର୍ଗମ ପାହାଡିଆ ଅଞ୍ଚଳରେ ଲୋକଙ୍କ ଜଳ କଷ୍ଟ ମଧ୍ୟ ବଢିବାରେ ଲାଗିଛି । ଯାହାର ତୁରନ୍ତ ସମାଧାନ କରିବା ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ଅଧିବାସୀ ।