କାର୍ଯ୍ୟାନୁଷ୍ଠାନ ପାଇଁ ୯୫ ଦିନ ପରେ ବି ଜାରି ଧାରଣା ଓ ଅଧ୍ୟକ୍ଷାଙ୍କ ଜାଲ୍ ସାର୍ଟିଫିକେଟ ଦାଖଲ ସତ୍ତ୍ୱେ ଉଚ୍ଚ ଶିକ୍ଷା ବିଭାଗର ନୀରବତା ସନ୍ଦେହଜନକ , କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ଆନ୍ଦୋଳନକାରୀ

ଭୁବନେଶ୍ୱର : ଜଣେ ବିବାଦୀୟ ଅଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ୭ରୁ ଉର୍ଦ୍ଧ୍ୱ ଇ ମେଲ, ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଠାରୁ ଦୁଇ ଦୁଇ ଥର ନିର୍ଦ୍ଦେଶ, ଜଣେ ଶାସକ ଦଳର ବିଧାୟକଙ୍କ ଦୁଇ ଦୁଇଟି ଚିଠି, ବିଧାନସଭା ଆଗରେ ୯୫ରୁ ଉର୍ଦ୍ଧ୍ୱ ଦିନର ଧାରଣା ଓ ଉକ୍ତ ବିବାଦୀୟ ଅଧ୍ୟକ୍ଷଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ସତ୍ତ୍ୱେ ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସନ୍ଦେହଜନକ ନୀରବତାକୁ ପ୍ରଶ୍ନ କରିଛନ୍ତି ଧାରଣାରତ ଆନ୍ଦୋଳନାକରୀ । ଏହି ବିବାଦୀୟ ଅଧ୍ୟକ୍ଷା ଏମଏ ରେ ମାତ୍ର ୪୫.୬ % ମାର୍କ ରଖି ଜାଲିଆତି ଭାବେ ଅଧ୍ୟକ୍ଷା ହୋଇ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ପାଉଥିବା ବେଳେ କ’ଣ ପାଇଁ ସରକାରଙ୍କ ଏହି ଅଫିସରମାନେ ଆଖି ବୁଜି ଦେଇଛନ୍ତି ତାହାକୁ ନେଇ ଆନ୍ଦୋଳନକାରୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ତେଣୁ ଏହି ଅଧ୍ୟକ୍ଷାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ନିଯୁକ୍ତିର ସମସ୍ତ ପ୍ରମାଣପତ୍ରର ଯାଞ୍ଚ ଓ ବିଭିନ୍ନ ବେନିୟମ କାର୍ଯ୍ୟକଳାପରେ ନେଇ ଯେଉଁ ପ୍ରଶ୍ନ ଉଠିଛି ତା’ର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଧାରଣାରତ କର୍ମଚାରୀମାନେ ଦାବି କରିଛନ୍ତି ।

ଅଭିଯୋଗରୁ ଜଣାପଡିଛି ଯେ କଟକ ଜିଲ୍ଲା ଜପକୁଦ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ରାଜଶ୍ରୀ ମିଶ୍ର ୧୯୯୬ ମସିହାରେ ୪୫.୬ % ମାର୍କ ରଖି ଉକ୍ତ କଲେଜରେ ଇଂରାଜୀ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିବା ରେକର୍ଡ ଉଚ୍ଚ ଶିକ୍ଷା ବିଭାଗକୁ ଦେଇଛନ୍ତି । ତାଙ୍କର ବାପା କଲେଜର ସଭାପତି ଥିବାରୁ ସେ କଲେଜର ସମସ୍ତ ବରିଷ୍ଠମାନଙ୍କୁ ପଛରେ ପକାଇ ନିଜେ ଭାରପ୍ରାପ୍ତ ଅଧ୍ୟକ୍ଷା ପଦରେ ରହିଥିବା ନେଇ ମଧ୍ୟ କଲେଜର ଅନ୍ୟ କର୍ମଚାରୀ ଅଭିଯୋଗ କରିଥିଲେ । ପରେ ତାଙ୍କ ନିଯୁକ୍ତି ଜାଲିଆତି ବୋଲି ଅଭିଯୋଗ ଉଠିଥିଲା । କାରଣ ସେ ୧୯୯୭ ମସିହାରେ ସେତେବେଳର ସଭାପତିଙ୍କୁ କଲେଜରେ ପଢ଼ାଇବା ପାଇଁ ଏକ ଦରଖାସ୍ତ କରିଥିଲେ ଓ ସେଥିରେ ଉଲ୍ଲେଖ କରିଥିଲେ ଯେ ତାଙ୍କର ଏମ ଏ ପରୀକ୍ଷାର ଫଳାଫଳ ପ୍ରକାଶ ପାଇନାହିଁ ।

ବଡକଥା ହେଉଛି ସରକାରଙ୍କ ଗ୍ରାଣ୍ଟଇନ ଏଡ ପାଇବା ପାଇଁ ରାଜଶ୍ରୀ ଦାଖଲ କରିଥିବା ପବ୍ଲିକେସନ ଅଫ୍ ରେଜଲଟର ଯେଉଁ ସାର୍ଟିଫିକେଟ ଦେଇଛନ୍ତି ତାହା ଠିକ୍ ନୁହେଁ ବୋଲି ଆରଟିଆଇ ଚିଠି ନଂ –୧୪୪୫୯, ତା- ୧୯-୧୦-୨୨ ରେ ମଗାଯାଇଥିବା ରିପୋର୍ଟରେ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଜଣାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ୧୯୯୭ ମସିହା ଏମଏ ଇଂରାଜୀ ରେଗୁଲାର ର ପବ୍ଲିକେସନ ରେଜଲ୍ଟ ୦୧/୦୯/୧୯୯୭ ରେ ପ୍ରକାଶ ପାଇଛି । ରାଜଶ୍ରୀଙ୍କ ପବ୍ଲିକେସନ ରେଜଲ୍ଟ ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗକୁ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଚିଠି ନଂ ୧୪୩୨୩, ତା-୧୩-୧୦-୨୨ରେ ଅନୁରୁପ ଭାବେ ପତ୍ର ଦିଆଯାଇଛି ।

ଏହାଛଡ଼ା ଅଧ୍ୟାପକ ମନୋନୟନ ନେଇ କରାଯାଇଥିବା ଇଣ୍ଟରଭ୍ୟୁରେ ଯେଉଁ ସିଲେକସନ ଚାର୍ଟ ବା ରିପୋର୍ଟ ଦିଆଯାଇଛି ତାହା ମଧ୍ୟ ଜାଲିଆତି ବୋଲି ଅଭିଯୋଗ ହୋଇଛି । ଏହି ରିପୋର୍ଟରେ ଏକ୍ସପର୍ଟ କମିଟିରେ ଥିବା ଜେ. ଏନ. କଲେଜ, କୁଆଁପାଳ ର ଇଂରାଜୀ ଅଧ୍ୟାପକ ପଲ୍ଲବ ଚକ୍ରବର୍ତ୍ତୀଙ୍କ ନାମ ଥାଇ ସିଲେକସନ ଚାର୍ଟ ଦିଆଯାଇଛି ତାହା ମଧ୍ୟ ନକଲି ବୋଲି ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଆମ୍ଭେ ଉକ୍ତ ଅଧ୍ୟାପକ ପଲ୍ଳବ ଚକ୍ରବତ୍ତୀଙ୍କୁ ପଚାରିବାରୁ ସେ ଏପରି କିଛି ଇଣ୍ଟରଭ୍ୟୁରେ ଯୋଗ ଦେଇ ନଥିବା କହିଛନ୍ତି । ଇଣ୍ଟରଭ୍ୟୁ କରିବା ତ ଦୂରର କଥା ସେ କେବେ ବି ସେହି କଲେଜକୁ ଯାଇ ନାହାଁନ୍ତି ବୋଲି କହିଛନ୍ତି ।

ଏହାଛଡ଼ା ତାଙ୍କର ନିଯୁକ୍ତି ନେଇ ଉଚ୍ଚ ଶିକ୍ଷା ବିଭାଗକୁ ଦିଆଯାଇଥିବା ବହୁ ତଥ୍ୟ ଜାଲି ବୋଲି ଅଭିଯୋଗ ହୋଇଛି । ଦୋଷୀ ଅଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଅସନ୍ତୁଷ୍ଟ କର୍ମଚାରୀମାନେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିବା ଜଣାଯାଇଛି । ଆମ୍ଭେ ଏ ସମ୍ପର୍କରେ ଅଧ୍ୟକ୍ଷା ରାଜଶ୍ରୀଙ୍କ ପିତା ତଥା ଉକ୍ତ କଲେଜର ସଭାପତି ଶ୍ରୀ ମିଶ୍ର ଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କ ଫୋନ ନମ୍ବରରେ ଯୋଗାଯୋଗ କରିଥିଲୁ ହେଲେ ତାହା ସମ୍ଭବ ହୋଇ ପାରି ନଥିଲା ।