ପାହାଡ଼ ଉପରେ ରାଜା ରାଜୁଡା ଅମଳର ପୁରାତନ ମନ୍ଦିର, ଇକୋ ଟୁରିଜିମ୍ ପାଇଁ ସାଧାରଣରେ ଦାବି
ପାହାଡ ଉପରେ ଦେବଲୋକ । ଚାରି ଆଡ଼େ ନିଘଞ୍ଚ ଜଙ୍ଗଲ ଆଉ ଏହାରି ମଝିରେ ରହିଛି ଏକ ପୁରାତନ ଇଟାର ମନ୍ଦିର । ଘଞ୍ଚ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଛି ଏହି ଅଧା ଗଢ଼ା ଅବସ୍ଥାରେ ଥିବା ମନ୍ଦିର । ଗାଁ ଲୋକଙ୍କ କହିବା ଅନୁସାରେ କେଉଁ ସମୟରୁ ଏହି ମନ୍ଦିର ହୋଇଛି କେହି ଜାଣି ନାହାନ୍ତି । ଏହି ମନ୍ଦିରର ବିଶେଷତା ହେଉଛି ଏହାର ଆଠଟି କୋଣ ରହିଛି । ଏମିତି ଏକ ଭଗ୍ନ ପୁରାତନ ଇଟାର ମନ୍ଦିର ରହିଛି ବୌଦ୍ଧ ଜିଲ୍ଲାର ଦୁର୍ଗାପ୍ରସାଦ ଗାଁରେ ।
ମନ୍ଦିରମାଳିନୀ ଜିଲ୍ଲା ହେଉଛି ବୌଦ୍ଧ ଜିଲ୍ଲା । ଏଠାରେ ରହିଛି ବହୁ ପୁରାତନ ମନ୍ଦିର ଓ ଶକ୍ତିପୀଠ । ଗାଁକୁ ଲାଗି ଥିବା ପାହାଡ଼ ନିକଟରେ ଦୁଇ ଶହ ମିଟର ଉଚ୍ଚତାରେ ରହିଛି ଏହି ଅଧା ଗଢ଼ା ମନ୍ଦିର । ତେବେ ଐତିହାସିକ ତଥା ଗବେଷକ ଡ଼ଃ ଶଶାଙ୍କ ଶେଖର ପଣ୍ଡାଙ୍କ ମତରେ ଏହି ମନ୍ଦିର ଷୋଡ଼ଶ ଶତାବ୍ଦୀର ଏକ ପୁରାତନ ମନ୍ଦିର ଏବଂ ବୌଦ୍ଧ ଜିଲ୍ଲା ରାଜା ନରସିଂହ ଦେବ ଏହାକୁ ତିଆରି କରିଥାଇପାରନ୍ତି ବୋଲି କହିଛନ୍ତି । ତନ୍ତ୍ର ସାଧନା ପାଇଁ ଏହି ପାହାଡ଼ ଉପର ଏକ ପ୍ରକୃଷ୍ଟ ସ୍ଥାନ ଏବଂ ମା’ ଦୁର୍ଗାଙ୍କ ପାଇଁ ଏହି ମନ୍ଦିର ତିଆରି ହୋଇଥିଲା ।
ତେଣୁ ରାଜା ନିଜ ତନ୍ତ୍ର ସାଧନା ପାଇଁ ଏହି ମନ୍ଦିର ନିର୍ମାଣ କରୁଥଲେ ଏବଂ କୌଣସି କାରଣରୁ ଏହା ଅଧାରେ ବନ୍ଦ କରି ଦେଇଛନ୍ତି ବୋଲି କହିଛନ୍ତି ଗବେଷକ ଡ଼ଃ ଶଶାଙ୍କ ଶେଖର ପଣ୍ଡା । ତେବେ ପାହାଡ଼ ଉପରେ ଥିବା ଏହି ଭଗ୍ନ ମନ୍ଦିର ଅଧିକ ଲୋକ ଲୋଚନକୁ ଆସିପାରିନାହିଁ । ମଝିରେ କିଛି ଦିନ ଗ୍ରାମବାସୀ ଏଠାରେ ପୂଜା ସହିତ ନାମ କୀର୍ତ୍ତନ କରିଥିଲେ ବୋଲି ଶୁଣିବାକୁ ମିଳୁଛି । କିନ୍ତୁ ଏଠାକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ମନ୍ଦିର ।
ତେବେ ଏହି ସ୍ଥାନଟିକୁ ଉପଯୁକ୍ତ ରକ୍ଷଣାବେକ୍ଷଣ ସହ ସୁରକ୍ଷା କରାଗଲେ ଏହା ପର୍ୟ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହୋଇପାରନ୍ତା । ତେବେ ଘଞ୍ଚ ଜଙ୍ଗଲ ସହ ପାହାଡ ଉପରେ ଦେବାଦେବୀଙ୍କ ସ୍ଥାପନା ଓ ପାଖ ଗାଁର ପ୍ରାକୃତିକ ସବୁଜିମାର ଦୃଶ୍ୟ ବେଶ ମନଛୁଆଁ । ଯଦି ଏହି ଲୁକାୟିତ ଐତିହାସିକ ପୀଠର ବିକାଶ ପାଇଁ ସରକାର ଦୃଷ୍ଟି ଦେଲେ ଏହା ନିଶ୍ଚିତ ଭାବରେ ଏକ ଭଲ ପର୍ଯ୍ୟଟନ ତଥା ତୀର୍ଥ ସ୍ଥଳୀ ଭାବେ ଖ୍ୟାତି ଅର୍ଜନ କରିପାରିବ ।