ପୁରୀ : ନିଲାମ ହେଲା ଅର୍ପଣ ଚାଉଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସାରା ରାଜ୍ୟରୁ ସଂଗୃହୀତ ଅର୍ପଣ ଚାଉଳକୁ ଶେଷରେ ନିଲାମ କରାଯାଇଛି । କ୍ୱିଣ୍ଟାଲ ପିଛା ୨୭୮୦ ଟଙ୍କାରେ ଏହି ଅର୍ପଣ ଚାଉଳକୁ ନିଲାମ କରାଯାଇଛି । ମୋଟ ୨କୋଟି ୮୬ ଲକ୍ଷ ଟଙ୍କାରେ ଏହି ଚାଉଳ ନିଲାମ ହୋଇଛି । ୧୦ ହଜାର ୩୨୨ କ୍ୱିଣ୍ଟାଲ ଚାଉଳ ନିଲାମ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ତେବେ ଚଳିତ ନିର୍ବାଚନ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ବେଳେ ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ ନାଁରେ ମହାପ୍ରଭୁ ଜଗନ୍ନାଥଙ୍କୁ ବସାଇ ଘରୁ ଘରୁ ଚାଉଳ ଏବଂ ଗୁଆ ଆଣିଥିଲେ । ଯାହା ଦୀର୍ଘ ଦିନ ଧରି ପଡିରହିଥିଲା । ଏଥିରୁ କିଛି ଫୋପଡା ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ହେଲେ ଏହାକୁ ଖଣ୍ଡନ କରିଥିଲେ ଜିଲ୍ଲାପାଳ । କହିଥିଲେ, ଯେତିକି ଶ୍ରୀମନ୍ଦିରରେ ବ୍ୟବହାର ହେବା କଥା ତାହା ହୋଇଛି । ଆଉ ଯାହା ବ୍ୟବହାରରେ ନ ଲାଗିପାରିବ, ସେଗୁଡିକୁ ଡିଲରମାନେ ଚାହିଁଲେ ତାହା ନେଇପାରିବେ ।
ତେବେ ସୋମବାର ଦିନ ଜିଲ୍ଲାପାଳ କହିଥିଲେ , ଯେଉଁ ଚାଉଳ ବଳକା ରହିଯାଇଛି ତାହା ମହାପ୍ରସାଦ ହେବା ଯୋଗ୍ୟ ନୁହେଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ କରାଯାଇ ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଅନୁମୋଦନ ନିମନ୍ତେ ପ୍ରଦାନ କରାଯାଇଥିଲା । ସରକାର ସମସ୍ତ ଘଟଣାକୁ ଅନୁଧ୍ୟାନ କରି ଅନୁମୋଦନ ଦେଇଛନ୍ତି । ସରକାରଙ୍କ ଅନୁମୋଦନ ଆସିବା ପରେ ରବିବାର ଏକ ବୈଠକ ହୋଇଥିଲା । ଗଚ୍ଛିତ ଥିବା ଅର୍ପଣ ଚାଉଳର ମାନ ପରୀକ୍ଷା କରାଯାଇଥିଲା । ଏହା ଯଦିଓ ମଣିଷ ଖାଦ୍ୟ ଉପଯୋଗୀ ତେବେ ଏହାକୁ କୌଣସି ଅନୁଷ୍ଠାନକୁ ପ୍ରଦାନ କରାଯିବ ନାହିଁ । ନିଷ୍ପତ୍ତି ଅନୁସାରେ ଏହି ଚାଉଳକୁ ନିଲାମ କରାଯାଇ ତାହାର ବିକ୍ରି ଲବ୍ଧ ଅର୍ଥକୁ ଶ୍ରୀମନ୍ଦିରକୁ ଦାନ କରାଯିବ । ଟେଣ୍ଡର ମାଧ୍ୟମରେ ଚାଉଳ ବିକ୍ରି କରାଯିବ।