ନୂଆପଡା : ପଣ୍ଡ ହେଲା ମାଓବାଦୀଙ୍କ ଆକ୍ରମଣ ଯୋଜନା । କମ୍ବିଂ ଅପରେସନବେଳେ ମାଓ କ୍ୟାମ୍ପ ଠାବ। ଓଡିଶା- ଛତିଶଗଡ ସୀମାନ୍ତରେ ଦୁଇ ରାଜ୍ୟର ପୋଲିସ ପକ୍ଷରୁ ମିଳିତ କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି । ନୂଆପଡା ଜିଲ୍ଲା ଓ ଛତିଶଗଡ ଗରିଆବନ୍ଧ ଜିଲ୍ଲା ସୀମାନ୍ତରୁ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ ହୋଇଛି । ମାଓ ଅପରେସନରେ ନୂଆପଡା ଜିଲ୍ଲାର ୫ ଟି ଏସଓଜି ଟିମ ସହ ନବରଙ୍ଗପୁର ଏବଂ ପଡୋଶୀ ଛତିଶଗଡର ଯବାନମାନେ ସାମିଲ ଥିଲେ । ଛତିଶଗଡ ଗରିଆବନ୍ଧ ଜିଲ୍ଲା ଯୁଗାଡ଼ ଥାନା ଅନ୍ତର୍ଗତ କୁମକୁଟ ଓ ଦେବଝର ଜଙ୍ଗଲରେ ଟପ ମାଓନେତାମାନେ ବଡଧରଣର ଅଘଟଣ ଘଟେଇବା ପାଇଁ ଯୋଜନା କରୁଥିଲେ ।
ଏନେଇ ଗୁଇନ୍ଦା ବିଭାଗରୁ ସୂଚନା ଖବରପାଇବା ପରେ ସେହି ଅଂଚଳରେ ଦୁଇ ରାଜ୍ୟର ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ କରାଯାଇଥିଲା । ଏନେଇ ସୂଚନା ପାଇବା ପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଏବେବି ସମ୍ପୃକ୍ତ ଅଂଚଳରେ ନୂଆପଡା ଜିଲ୍ଲାର ୫ଟି ଏସଓଜି ଟିମ ପକ୍ଷରୁ କୁମ୍ବିଂ ଅପରେସନ ଜାରି ରହିଛି ।