ନୂଆ କ୍ରିମିନାଲ ଆଇନ ବିରୋଧରେ ପ୍ରତିବାଦ ଓ ଆନ୍ଦୋଳନରୁ ନିବୃତ୍ତ ରୁହ: ବିସିଆଇ

କଟକ : ନୂଆ କ୍ରିମିନାଲ ଆଇନ ବିରୋଧରେ ପ୍ରତିବାଦ, ବିକ୍ଷୋଭ ଓ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ନିବେଦନ କରିଛି ଭାରତୀୟ ଆଇନଜୀବୀ ପରିଷଦ-ବିସିଆଇ। ଦେଶରେ ଜୁଲାଇ ୧ରୁ ଲାଗୁ ହେବାକୁ ଯାଉଥିବା ତିନୋଟି ନୂଆ ଆଇନକୁ ଦେଶବ୍ୟାପୀ କିଛି ଆଇନଜୀବୀ ପରିଷଦ ଓ ବାର ଆସୋସିଏସନ ବିରୋଧ କରୁଥିବାରେ ଦୃଷ୍ଟିଗୋଚର ହୋଇଛି । ଏ ନେଇ ପ୍ରତିବାଦ, ବିକ୍ଷୋଭ ଓ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ବିସିଆଇ ନିବେଦନ କରିଛି । ବିସିଆଇ ଏ ନେଇ ଜାରି କରିଥିବା ପ୍ରେସ ରିଲିଜି ଜରିଆରେ କହିଛି ଯେ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁକୁ ଦେଶର କିଛି ଆଇନଜୀବୀ ପରିଷଦ ଓ ଆଇନଜୀବୀ ସଂଘ ବିରୋଧ କରୁଛନ୍ତି ।

ଏହି ନୂଆ ଆଇନରେ ନାଗରିକର ମୌଳିକ ଅଧିକାର କ୍ଷୁଣ୍ଣ ହେଉଥିବା ସେମାନେ ଦର୍ଶାଇଛନ୍ତି। ଏହା ପ୍ରତିବାଦରେ ସେମାନେ ବିକ୍ଷୋଭ ଓ ପ୍ରତିବାଦ କରିବାକୁ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆଇନଜୀବୀ ସଂଘଗୁଡ଼ିକ ସେଥିରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛି ବିସିଆଇ। ଏ ସମ୍ପର୍କରେ ବିସିଆଇ କେନ୍ଦ୍ର ସରକାର, କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ଆଇନ ମନ୍ତ୍ରୀ ଓ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ସହିତ ଆଲୋଚନା କରୁଛି। ଏହା ସହିତ ବିସିଆଇ ଓକିଲ ସଂଘ, ବରିଷ୍ଠ ଆଇନଜୀବୀଙ୍କୁ ନିବେଦନ କରିଛି ଯେ, ନୂଆ ତିନୋଟି ଆଇନର କେଉଁ ପ୍ରୋଭିଜନ ବା ଧାରା ସମ୍ବିଧାନ ବିରୋଧୀ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ବିସିଆଇକୁ ଜଣାନ୍ତୁ। ଏ ସମ୍ପର୍କରେ ବିସିଆଇ ବରିଷ୍ଠ ଆଇନଜୀବୀ, ପୂର୍ବତନ ବିଚାରପତି, ସାମାଜିକ କର୍ମୀ ଓ ସାମ୍ବାଦିକଙ୍କୁ ନେଇ ଏକ କମିଟି କରି ସେହି ସମସ୍ତ ଧାରାର ଆମେଣ୍ଡମେଣ୍ଟ କରିବାକୁ ପ୍ରସ୍ତାବ ରଖିବ।