“ଆମେ ଘରେ ମରିଯିବୁ ପଛେ କିନ୍ତୁ ମେଡ଼ିକାଲ ଯିବୁନି “। ଘରୁ ଗୋଡ଼ କାଢ଼ିଲେ ରହିଛି ମୃତ୍ୟୁର ଭୟ । କିଛି ଏଭଳି ବିଶ୍ୱାସ ନେଇ ଘରୁ ମେଡ଼ିକାଲ ଯିବାକୁ ଅମଙ୍ଗ ହୋଇ ଘରେ ରହି ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଥିଲେ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀ । ଗାଁରେ ଗତ ୪ ଦିନରେ ଝାଡ଼ାବାନ୍ତି ଆକ୍ରାନ୍ତର ଶିକାର ହୋଇ ତିନି ଜଣ ମୃତ୍ୟୁବରଣ କରିଥିଲେ ମଧ୍ୟ ଅନ୍ଧବିଶ୍ୱାସର ଶିକାର ହୋଇ ଘରେ ଚିକିତ୍ସିତ ହେଉଥିଲେ ରୋଗୀ ।
ଡାକ୍ତରୀ ଦଳ ରୋଗୀ ଓ ଆକ୍ରାନ୍ତଙ୍କ ପରିବାରଙ୍କୁ ଦୁଇ ଦିନ ଧରି ମେଡ଼ିକାଲ ଯିବା ପାଇଁ ଅନେକ ବୁଝାଇଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହି ବୁଝିବା ପାଇଁ ନାରାଜ ଥିଲେ । କିନ୍ତୁ, ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ, ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝା ସୁଝା କରବା ସହିତ ଝାଡ଼ାବାନ୍ତିରେ ଆକ୍ରାନ୍ତ ୭ ବର୍ଷର ଛୁଆକୁ ନିଜେ ହାତରେ ବୋହି ନେଇ ଗାଡ଼ିରେ ବସାଇବା ସହିତ ଛୁଆର ମା’ କୁ ଘରୁ ବାହାର କରି ମେଡ଼ିକାଲ ଗାଡିରେ ବସାଇଥିଲେ ।
ଶେଷରେ ଅନ୍ଧ ବିଶ୍ୱାସକୁ ହରେଇ ଜିତିଗଲା ପ୍ରଶାସନ । ଏଥିସହ ଲୋକଙ୍କୁ ଅନ୍ଧ ବିଶ୍ୱାସ ଠାରୁ ଦୂରରେ ରହିବା ପାଇଁ ସହଯୋଗ ଭିକ୍ଷା କରିବା ସହ ରୋଗୀଙ୍କୁ ମେଡ଼ିକାଲ ନେଇ ସେମାନଙ୍କ ଚିକତ୍ସାରେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ରୋଗୀଙ୍କୁ ଡ଼ଙ୍ଗରଭେଜା ମେଡିକାଲକୁ ପଠାଇଥିଲେ ବିଡ଼ିଓ । ଏଭଳି ମଣିଷ ପଣିଆ ଆଉ ବଡ଼ ହୃଦୟର କାମ କରିଦେଖାଇଛନ୍ତି ବିଡ଼ିଓ । ଅପରପକ୍ଷରେ ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟୁଛି ।
ଆଜିର ଏ ସ୍ୱାର୍ଥପର ଦୁନିଆରେ ମଣିଷ ନିଜ କଥା ବୁଝିବାକୁ ବି ସମୟ ନାହିଁ । ଏଭଳି ପରିସ୍ଥିତିରେ ଏମିତି ନିସ୍ଵାର୍ଥପର ସେବାଭାବ ଖୁବ କମ ଦେଖିବାକୁ ମିଳିଥାଏ ଏବଂ ଏହି ପରି କାହାଣୀ ଆମକୁ ଅନେକ ପ୍ରେରଣା ମଧ୍ୟ ଯୋଗାଇଥାଏ । ଆଜିର ଯୁଗରେ ବି କିଛି ମଣିଷ ଏପରି ଅଛନ୍ତି ଯେଉଁମାନେ ଅସହାୟ ମଣିଷଙ୍କ ଦୁଃଖ ବୁଝନ୍ତି । ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା ବି କରନ୍ତି । ତେବେ ବିଡ଼ିଓଙ୍କ ଏଭଳି ମାନବିକତା ଖୁବ ପ୍ରଶଂସନୀୟ ।