ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବାଇକ୍, ଜଣେ ମୃତ; ଜଣେ ଗୁରୁତର
ଜଳେଶ୍ୱର : ଭୋଜି ଖାଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବାଇକ୍ । ଜଣେ ମୃତ ଜଣେ ଗୁରୁତର । ବାଲେଶ୍ବର ଜିଲ୍ଲା ସିଂଲା ଥାନା ବୁଡିଆଂ ଛକରେ ଘଟିଛି ଘଟଣା ।
ସୂଚନା ଅନୁଯାୟୀ ରୂପ୍ସା ଥାନା ଅନ୍ତର୍ଗତ ଆଙ୍କୋ ଅଞ୍ଚଳର ଦୁଇ ଜଣ ଯୁବକ ପଞ୍ଚୁପାଲି ଗ୍ରାମରୁ ଭୋଜି ଖାଇ ବିଳମ୍ବିତ ରାତିରେ ବାଇକ ରେ ଘରକୁ ଫେରୁଥିଲେ । ଏହି ସମୟରେ ବୁଡିଆଂ ଛକ ନିକଟରେ ଗାଡିଟି ଭାରସାମ୍ଯ ହରାଇ ରାସ୍ତା କଡକୁ ଖସି ପଡିଥିଲା। ବାଇକର ପଛରେ ବସିଥିବା ଯୁବକ ଜଣଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିବା ଯୋଗୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ପହଞ୍ଚି ସିଂଲା ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ହସପିଟାଲ ପଠାଇବା ସହ ଘଟଣାର ତଦନ୍ତ କରୁଛି।