୨୨ ଦିନ ପରେ ମହାନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକ କୁଳଦୀପଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଦୀର୍ଘ ୨୨ ଦିନ ପରେ ମହାନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକ କୁଳଦୀପ ପାଢୀଙ୍କ ମୃତଦେହ । ଗତ ସେପ୍ଟେମ୍ବର ଦୁଇ ତାରିଖ ରାତିରେ ମହାନଦୀ ସେତୁ ଉପରେ ଘଟିଥିଲା ବଡ ଅଘଟଣ । କୁଳଦୀପଙ୍କର କଣ ହୋଇଥିଲା କେଜାଣି ସେତୁ ଉପରେ ବାଇକ, ପର୍ସ, ଚପଲ ଓ ମୋବାଇଲ ରଖି ଡେଇଁ ପଡ଼ିଥିଲେ । ସେ କାହିଁକି ଏମିତି କରିଥିଲେ ତାର କାରଣ ଜଣା ପଡି ନଥିଲା । ସୋନପୁର ଜିଲ୍ଲା ରାଣିସର୍ଡା ଗାଁର କୁଳଦୀପ ପାଢୀଙ୍କ ସମସ୍ତ ଜିନିଷ ସୋନପୁର ପୋଲିସ ଉଦ୍ଧାର କରିଥିଲା । ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଦମକଳ ବାହିନୀ ସମୟ ବିଳମ୍ବ ନକରି ପ୍ରାଣପଣେ ଉଦ୍ଧାର ପାଇଁ ଚେଷ୍ଟା କରିଥିଲା । କୌଣସି କାରଣରୁ କୁଳଦୀପ ମହାନଦୀ ବଢି ପାଣିରେ ପଡି ଯାଇଥିଲେ ।
ଜୀବନ ହାରିଥିବା ସନ୍ଦେହ କରି ୪ ଦିନ ଧରି ମହାନଦୀର ସୋନପୁର ଠାରୁ ବୌଦ୍ଧ ପର୍ଯ୍ୟନ୍ତ ଓଡ୍ରାଫ୍ ଟିମ ପକ୍ଷରୁ ଖୋଜାଯାଇଥିଲେ ମଧ୍ୟ କୁଳଦୀପଙ୍କର କୌଣସି ଖୋଜଖବର ମିଳି ନଥିଲା । ଏହି ଘଟଣାକୁ ଦୀର୍ଘ ୨୨ ଦିନ ବିତିବା ପରେ ଆଜି ମହାନଦୀର ଭୁଦୋବର ନିକଟ ମଝି ନଇରେ ଜଣେ ଅଜଣା ବ୍ୟକ୍ତିର ମୃତଦେହ ମିଳିଥିଲା । ଖବର ପାଇ ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମହାନଦୀର ବଢିପାଣିରେ ଭାସିଆସି ଏକ ବୁଦା ମୂଳରେ ଲାଗି ରହିଥିବା ମୃତଦେହକୁ ଉଦ୍ଧାର କରିବାକୁ ସକ୍ଷମ ହୋଇପାରିନଥିଲେ ଦମକଳ ବାହିନୀ । ପରେ ବଲାଙ୍ଗିର ଓଡ୍ରାଫ ଟିମ ଆସି ମୃତଦେହକୁ ମଝି ନଇରୁ ଉଦ୍ଧାର କରିଛନ୍ତି । ଉଦ୍ଧାର ମୃତଦେହ ନିଖୋଜ କୁଳଦୀପ ପାଢୀଙ୍କ ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି । ତେବେ କେଉଁ କାରଣରୁ କୁଳଦୀପ ଏଭଳି ପଦକ୍ଷେପ ନେଲେ ତାହା ଏଯାଏଁ ଅସ୍ପଷ୍ଟ ରହିଛି ।
କହି ରଖିବାକୁ ଚାହିଁବୁ କୁଳଦୀପ ତାଙ୍କ ସ୍ତ୍ରୀଙ୍କ ସହ ବଲାଙ୍ଗୀରରେ ରହୁଥିବାବେଳେ ସେ ମାର୍କେିଟିଂରେ କାମ କରି ଆସୁଥିଲେ । ଘଟଣା ଦିନ ସଂଧ୍ୟା ୮ ଟା ୩୦ ପରେ ତାଙ୍କ ମୋବାଇଲ ଫୋନ ସୁଇଚ ଅଫ ହୋଇଯାଇଥିଲା । ସେଦିନ ରାତି ତମାମ ପରିବାର ଲୋକେ ବଲାଙ୍ଗୀରରେ କୁଳଦୀପଙ୍କୁ ଖୋଜାଖୋଜି କରିଥିଲେ । ପରେ ତାଙ୍କର ମୋବାଇଲ ଲୋକେସନ ସୋନପୁର ଦେଖାଇବାରୁ ରାତିରେ ସୋନପୁରକୁ ଆସି ମଧ୍ୟ ପରିବାର ଲୋକ ଖୋଜାଖୋଜି କରିଥିଲେ । କିନ୍ତୁ କୁଳଦୀପଙ୍କ କୌଣସି ଖବର ମିଳିନଥିଲା । ମହାନଦୀ ସେତୁ ଉପରୁ କୁଳଦୀପଙ୍କ ବାଇକ ଓ ପର୍ସ ପାଇବା ପରେ କୁଳଦୀପ ଜୀବନ ହାରିଥିବା ସନ୍ଦେହ କରିଥିଲା ପୋଲିସ । ବଲାଙ୍ଗୀର ଓ ବୌଦ୍ଧରୁ ଓଡ୍ରାଫ ଟିମ ପହଂଚିବା ପରେ ମହାନଦୀରେ ଖୋଜାଖୋଜି ଆରମ୍ଭ ହୋଇଥିଲା । କିନ୍ତୁ ବହୁଦିନ ଖୋଜାଖୋଜି ପରେ ବି କୁଳଦୀପଙ୍କର ପତ୍ତା ମିଳି ନଥିଲା । ଆଉ ବର୍ତ୍ତମାନ ୨୨ ଦିନ ପରେ କୁଳଦୀପଙ୍କ ମୃତଦେହ ଉଦ୍ଧାର ହୋଇଛି ।